ମିଆଁମାରରେ ଭୂକମ୍ପ ଝଟକା, ତୀବ୍ରତା ୪.୪ ରେକର୍ଡ

ନାଏପିଦା,ଏଜେନ୍ସି: ମିଆଁମାରରେ ଭୂକମ୍ପ ଅନୁଭୂତ ହୋଇଛି । ଭୋର ପ୍ରାୟ ୩ଟା ୪ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ବର୍ମା ୧୪୧ କିମି ପଶ୍ଚିମ ଦକ୍ଷିଣ ପଶ୍ଚିମରେ ରହିଛି । ଯାହାର ଗଭୀରତା ୧୦୫ କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ ୨୧.୩୨ ଏବଂ ଦ୍ରାଘିମା ୯୪.୭୩ ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ପୂର୍ବରୁ ଗତ ଜୁଲାଇ ମାସରେ ମିଆଁମାରର ୟାନଗାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୫.୦ ରେକର୍ଡ କରାଯାଇଥିଲା । ମିଆଁମାର ୟାନଗାନର ଦକ୍ଷିଣ ପଶ୍ଚିମ ଠାରୁ ୨୬୦ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୧୯.୫୩ ରହିଥିବାବେଳେ ଦ୍ରାଘିମା ୯୪.୬୪ ରହିଥିଲା । ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ନଥିଲା । ସେହିପରି ୨୦୨୦ରେ ମଧ୍ୟ ଭାରତ-ମିଆଁମାର ସୀମାରେ ଭୂମିକମ୍ପ ଝଟକା ଦେଖାଦେଇଥିଲା । ତେବେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୩ ଥିବା ୟୁରୋପୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନଥିଲା।

ଏହି ଭୂମିକମ୍ପର କିଛି କ୍ଷଣ ପୂର୍ବରୁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନସିଏସ୍ ଅନୁଯାୟୀ, କମ୍ପନର କେନ୍ଦ୍ରସ୍ଥଳ ଆଣ୍ଡାମାନ ଓ ନିକୋବରର କ୍ୟାମ୍ପବେଲଠାରୁ ୨୭୦ କିଲୋମିଟର ଦୂର ଉତ୍ତର-ପୂର୍ବରେ ଥିଲା । ସେହିପରି ଆଣ୍ଡାମାନ ଏବଂ ଜମ୍ମୁ ଓ କଶ୍ମୀର ଦୁଇଟି ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଆଣ୍ଡାମାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ୪.୮ ଥିବାବେଳେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା । ତେବେ ଦେଶରେ ବାରମ୍ବାର ଭୂମିକମ୍ପକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।