ତାଜିକିସ୍ତାନ ଓ ଆଫଗାନିସ୍ତାନରେ ଭୂକମ୍ପ ଝଟକା

ଦୁସାମ୍ବେ,ଏଜେନ୍ସି: ତାଜିକିସ୍ତାନ ଓ ଆଫଗାନିସ୍ତାନରେ ଭୂକମ୍ପ ଝଟକା । ତାଜିକିସ୍ତାନରେ ୪.୩ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ତାଜିକସ୍ତାନରେ ଭାରତୀୟ ସମୟ ସକାଳ ୫.୩୧ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୩୮.୨୦ ଓ ଦ୍ରାଘିମା ୭୩.୮୫ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ । ସେହିପରି ଆଫଗାନିସ୍ତାନରେ ଆଜି ସକାଳ ୪.୦୫ ମିନିଟ ସମୟରେ ଭୂକମ୍ପ ସଂଗଠିତ ହୋଇଥିଲା । ଯାହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୩୬.୩୮ ଓ ଦ୍ରାଘିମା ୭୦.୯୪ ରହିଛି । ଏଥିରେ ମଧ୍ୟ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଗତ ଫେବୃଆରୀ ୨୩ ତାରିଖରେ ତାଜିକିସ୍ତାନର ମୁର୍ଗାଓବରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଥିଲା । ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା । ଶକ୍ତିଶାଳୀ ଭୂକମ୍ପ ପରେ ବଡ ଧରଣର କ୍ଷୟକ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଥିଲା । ସେହିପରି ସେହିଦିନ ସକାଳ ସମୟରେ ଆଫଗାନିସ୍ତାନରେ ଲଗାତାର ତିନି ଥର ଭୂକମ୍ପ ହୋଇଥିଲା । ପ୍ରଥମେ ସକାଳ ୬ଟା ୭ ମିନିଟ ସମୟରେ ଆଫଗାନିସ୍ତାନର ଫୟାଜାବାଦରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଫୟାଜାବାଦର ପୂର୍ବ ଉତ୍ତର ପୂର୍ବ ଦିଗରେ ଏହି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା ।