ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଶିକ୍ଷା ଓ ଗଣିତ ଲ୍ୟାବର ଶୁଭାରମ୍ଭ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦଶମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଓ ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟ ନିମନ୍ତେ ଇ-ଶିକ୍ଷା ଓ ଗଣିତ ଲ୍ୟାବ ପ୍ରଚଳନର ଶୁଭାରମ୍ଭ ହୋଇଛି । ଟାଉନ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଶିକ୍ଷାଧିକାରୀ ବିନୋଦ ସିଂହ, ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପଦ୍ମିନୀ ଲାକ୍ରା ଓ ଇ-ଲ୍ୟାବ କାର୍ଯ୍ୟକ୍ରମ ପରିଚାଳକ ବନବିହାରୀ କର ମଞ୍ଚାସିନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଦଶମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଶତ ପ୍ରତିଶତ ସଫଳତା ପାଇବା ନେଇ ଆଶା ପ୍ରକାଶ କରିଥିଲେ । ସେହିପରି ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ସେମାନଙ୍କୁ ସମସ୍ତ ବିଷୟର ଶିକ୍ଷା ପ୍ରଦାନ କ୍ଷେତ୍ରରେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ୫ଟି ଉଚ୍ଚ ବିଦ୍ୟାଳୟରେ ଇ-ଶିକ୍ଷା ଓ ଗଣିତ ଲ୍ୟାବ ପ୍ରଚଳନ କରିବାରେ ଦେବଗଡ଼ ଜିଲ୍ଲା ରାଜ୍ୟର ପ୍ରଥମ ବୋଲି କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ କର ସୂଚନା ଦେଇଥିଲେ । ସୁଗୁଡ଼ା ସିଆରସି ପ୍ରାଣବନ୍ଧୁ ଘଡ଼େଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଟାଉନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପଦ୍ମିନୀ ଲାକ୍ରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।