ଟୋପ୍ସରେ ସାମିଲ ହେବା ପରେ ସବୁ ଶ୍ରେୟ ଖେଳମନ୍ତ୍ରୀଙ୍କୁ ଦେଲେ ଦୂତୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବଢ଼ୁଥିବା କରୋନା ମାମଲା ମଧ୍ୟରେ ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଅଲମ୍ପିକ ଆଶାକୁ ନଛାଡ଼ି ଟ୍ରେନିଂ ଜାରି ରଖିଥିଲେ। ଏହାର ପରିଣାମ ସ୍ୱରୂପ ଖେଳ ମନ୍ତ୍ରଣାଳୟ ତାଙ୍କୁ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ (ଟୋପ୍ସ)ରେ ସାମିଲ କରିଛନ୍ତି। ଏହି ସ୍କିମ ଜରିଆରେ ଖେଳ ମନ୍ତ୍ରଣାଳୟ ଦୂତୀଙ୍କୁ ସବୁପ୍ରକାର ସାହାଯ୍ୟ କରିବ। ଏହାଦ୍ୱାରା ତାଙ୍କୁ ମିଶନ ଅଲମ୍ପିକରେ ଆଉ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଦୀର୍ଘ ୩ ବର୍ଷ ହେବ ଟୋପ୍ସରେ ସାମିଲ ହେବାକୁ ଚାହୁଁଥିବା ଦୂତୀ, ଖେଳମନ୍ତ୍ରୀ କିରନ ରିଜିଜୁ ମୋତେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବା କହିଛନ୍ତି।

ଦୂତୀ ଟୋପ୍ସରେ ସାମିଲ ହେବା ପଛର ସମସ୍ତ ଶ୍ରେୟ ଖେଳମନ୍ତ୍ରୀ ରିଜିଜୁଙ୍କୁ ଦେଇଛନ୍ତି। ଦୂତୀ କହିଛନ୍ତି ଯେ, ‘ଗତବର୍ଷ ମୁଁ ଖେଳମନ୍ତ୍ରୀଙ୍କୁ ଓଡ଼ିଶାରେ ପ୍ରଥମଥର ପାଇଁ ମୋତେ ଟପ୍ସରେ ସାମିଲ କରିବା କଥା କହିଥିଲି। ସେହି ସମୟରେ ସବୁ ଚିନ୍ତା ଛାଡ଼ି ଖେଳ ଉପରେ ଧ୍ୟାନ ଦେବାକୁ ରିଜିଜୁ ତାଙ୍କୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ, ଦୂତୀ ଗତ ୩ ବର୍ଷ ହେଲା ନିଜକୁ ଟପ୍ସରେ ସାମିଲ କରିବାକୁ ଦାବି କରି ଆସୁଥିଲେ। ଏନେଇ ସେ ପୂର୍ବତନ ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କଠାରେ ମଧ୍ୟ ସୁପାରିସ କରିସାରିଛନ୍ତି। କିନ୍ତୁ କିଛି କାରଣବଶତଃ ଦୂତୀଙ୍କୁ ଟୋପ୍ସରେ ସ୍ଥାନ ମିଳିନଥିଲା।