ଚୋରା ମହୁଲି ମଦ ଜବତ କରିବାକୁ ଯାଇ ହଟହଟା ହେଲା ଅବକାରୀ ବିଭାଗ ଓ ପୁଲିସ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରବାର ନେଇ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ ତୁରୁମୁଙ୍ଗା ପୁଲିସକୁ ମିଳିତ ଚଢଉ ବେଳେ ହଟହଟା ହେବାକୁ ପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ସକାଳୁ ଅବକାରୀ ବିଭାଗ ତୁରୁମୁଙ୍ଗା ପୁଲିସ ସହାୟତାରେ ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରବାର ଓ ମହୁଲି ମଦ ପ୍ରସ୍ତୁତି ସମୟରେ ଚଢ଼ଉ କରିଥିଲେ। ଚଢ଼ଉ ପରେ ଉଭୟ ବିଭାଗ ବିପୁଳ ପରିମାଣର ମହୁଲି ମଦ ଓ ପୋଚ ଜବତ କରିଥିଲେ। ହେଲେ ଜବତ ଦେଶୀ ମଦ ଓ ରନ୍ଧା ସାମଗ୍ରୀକୁ ଅବକାରୀ ବିଭାଗ କର୍ମଚାରୀଙ୍କଠାରୁ ମଦ ମାଫିଆ ଛଡ଼ାଇ ନେଇଥିଲେ। ଏଥିସହିତ ତାଙ୍କ ମୋବାଇଲକୁ ଛଡ଼ାଇ ନେଇ ଫୋଟ ଓ ଭିଡ଼ିଓକୁ ଡିଲିଟ କରି ଦେଇଥିଲେ। ଶତାଧିକ ପୁରୁଷ ଓ ମହିଳା ମଦ ମାଫିଆଙ୍କ ଏକଜୁଟ ଦେଖି ଘଟଣାସ୍ଥଳରୁ ପୁଲିସ କର୍ମଚାରୀ ଓ ଅବକାରୀ ବିଭାଗ ଖସି ପଳାଇ ଆସିଥିଲେ। ସମ୍ପୃକ୍ତ ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ମାଫିଆଙ୍କ ବିରୋଧରେ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଅଧିକାରୀ ରୋହିତ ନାୟକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳତା ଯୋଗୁ କିଛି କହିବାକୁ ମନା କରି ଦେଇଥିଲେ। ତେବେ ପ୍ରଶ୍ନ ଉଠୁଛି ଦିନ ଦ୍ୱିପ୍ରହରରେ ମଦ ମାଫିଆମାନେ କିଭଳି ପୁଲିସ ଓ ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେବାକୁ ସାହସ କଲେ।