ସ୍କୁଲ କ୍ୟାମ୍ପସରୁ ନିର୍ଦ୍ଦେଶକଙ୍କ ପୁଅର ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ବଢ଼େଇମୁଣ୍ଡାସ୍ଥିତ ଇଂରାଜୀ ମିଡିୟମ ସ୍କୁଲ ସେଣ୍ଟ ଥୋମାସ ପରିସରର ଉପର ମହଲାରୁ ସ୍କୁଲ ନିର୍ଦ୍ଦେଶକଙ୍କ ପୁଅର ମୃତଦେହ ଝାରସୁଗୁଡ଼ା ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ପ୍ରବୀଣ ଡାନିଏଲ (୨୯) ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ସକାଳେ ସ୍କୁଲ କ୍ୟାମ୍ପସ ଭିତରେ ଥିବା ନିଜ ରୁମର କବାଟ ପ୍ରବୀଣ ବହୁ ଡେରି ଯାଏଁ ଖୋଲି ନଥିଲେ। ପରିବାର ଲୋକେ କବାଟ ବାଡ଼େଇଥିଲେ। କିନ୍ତୁ ପ୍ରବୀଣ କବାଟ ନ ଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗିଥିଲେ। ପରେ ଘର ଭିତରେ ଥିବା ବେଡ଼ ଉପରେ ପ୍ରବୀଣଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ, ପୁଲିସ ଦଳ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ପର୍ୟ୍ୟାୟ ତଦନ୍ତ ଅନୁଯାୟୀ ପ୍ରବୀଣ ବିଷାକ୍ତ ନାଇଟ୍ରୋଜେନ ଗ୍ୟାସ ଶୁଙ୍ଘିବା କାରଣରୁ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ତେବେ ପ୍ରବୀଣଙ୍କ ପରିବାର ଲୋକଙ୍କୁ ପୁଲିସ ପଚରାଉଚୁରା କରିବାରୁ ସେ କିଛିଦିନ ହେବ ମାନସିକ ଚାପରେ ଥିବା ସହ ବିଭିନ୍ନ ବିଷୟରେ ଘରେ ପରୀକ୍ଷଣ କରୁଥିବା ତାଙ୍କ ବାପା ତଥା ସ୍କୁଲର ନିର୍ଦ୍ଦେଶକ ସାନି ଡାନିଏଲ କହିଛନ୍ତି।

ମୃତ ପ୍ରବୀଣ କିଛିଦିନ ତଳେ ନୈଟ୍ରୋଜେନ ସିଲିଣ୍ଡର ଗ୍ୟାସ ଅନଲାଇନରେ କିଣିଥିଲେ। ଆଉ କାଲି ରାତିରେ ପରୀକ୍ଷା କରିବା ସମୟରେ ଏମିତି ଅଘଟଣ ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରିବା ସହ ଅନ୍ୟାନ୍ୟ ଦିଗ ପ୍ରତି ତଦନ୍ତ ଜାରି ରହିଥିବା ଏସପି କହିଛନ୍ତି। ଏହାସହ ପ୍ରବୀଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି ଏବଂ ପୋଷ୍ଟ ମର୍ଟମ ରିପୋର୍ଟ ଆସିଲା ପରେ ପ୍ରବୀଣଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।