ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଦୂର୍ଗାପୂଜା ପାଳନ କରାଯିବ। ପ୍ରତ୍ୟେକ ମେଢ଼ରେ ୪ ଫୁଟରୁ କମ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ସ୍ଥାପନ କରାଯିବ ଏବଂ ମଣ୍ଡପରେ ପୂଜକ, କର୍ତ୍ତାଙ୍କ ସହ ମାତ୍ର ୭ଜଣ ରହିିବେ। ମଣ୍ଡପରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ସ୍ୱାସ୍ଥ୍ୟକର ପରିବେଶ ଓ ପରିମଳ ବ୍ୟବସ୍ଥା ରକ୍ଷା କରିବା ସହ କୋଭିଡ ନିୟମର ଅନୁପାଳନ କରିବେ। ମଣ୍ଡପକୁ ଆସି ଭକ୍ତମାନେ ପୂଜାର୍ଚ୍ଚନା ଓ ଦର୍ଶନ କରିପାରିବେ ନାହିଁ। ସେହିପରି ପ୍ରଶାସନର ବିନା ଅନୁମତିରେ ଜିଲ୍ଲାର କୌଣସି ସ୍ଥାନରେ ଦୂର୍ଗା, କାଳୀ ଓ ଲକ୍ଷ୍ମୀ ପୂଜା ଆଦିର ଆୟୋଜନ ହୋଇପାରିବ ନାହିଁ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିପରି ନିରାଡ଼ମ୍ବର ଭାବରେ ଶାରଦୀୟ ଦୂର୍ଗାପୂଜା ପାଳନ ହେବ ସେନେଇ ଜିଲ୍ଲାପାଳ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ମାର୍ଗଦର୍ଶିକା ଅନୁସାରେ, ପୂଜା ମଣ୍ଡପଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ବିଶେଷ ସାଜସଜ୍ଜା କରାଯାଇ ପାରିବ ନାହିଁ। ଇନଡୋର ବ୍ୟବସ୍ଥା ଭିତରେ ପୂଜା ଆୟୋଜନ ହେବ। ମଣ୍ଡପର ୩ ପାଶ୍ୱର୍ ବନ୍ଦ ରହିବ। ଚତୁର୍ଥ ପାଶ୍ୱର୍କୁ ମଧ୍ୟ ଲୋକଙ୍କ ପ୍ରବେଶ ପାଇଁ ବନ୍ଦ ରଖାଯିବ। ମଣ୍ଡପ ଭିତରେ କୌଣସି ପ୍ରକାର ମନୋରଞ୍ଜନକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ। ସେହିପରି ମୂର୍ତ୍ତି ବିସର୍ଜନ, ଶୋଭାଯାତ୍ରାକୁ ମଧ୍ୟ ବାରଣ କରାଯାଇଛି। କୌଣସି ପରିସ୍ଥିତିରେ ମାର୍ଗଦର୍ଶିକା ଯେପରି ଉଲଂଘନ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଆୟୋଜକଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବା ସହ ଏହା ଉଲଙ୍ଘନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଝାରସୁଗୁଡ଼ା ପୌରାଞ୍ଚଳରେ ପୂଜା ଆୟୋଜନ ପାଇଁ ଉପଜିଲ୍ଲାପାଳ ଅନୁମତି ପ୍ରଦାନ କରିବେ। ସେହିପରି ନିଜ କ୍ଷମତା ପରିସରଭୁକ୍ତ ଅଞ୍ଚଳରେ ତହସିଲଦାର ଅଥବା ଭାରପ୍ରାପ୍ତ ଅଧିକାରୀମାନେ ଅନୁମତି ପ୍ରଦାନ କରିବେ ବୋଲି ଜିଲ୍ଲାପାଳଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛିି।