ସ୍କୁଲରେ ନକଲି ଭିଜିଲାନ୍ସ ଚଢ଼ଉ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକସ୍ଥିତ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ୨ଜଣ ଯୁବକ ନିଜକୁ ଭିଜିଲାନ୍ସ ଅଧିକାରୀ ବୋଲି କହିଥିଲେ। ତେବେ ସେମାନେ ନକଲି ଭିଜିଲାନ୍ସ ହୋଇଥିବା ଜାଣି ଗାଁଲୋକେ ସେମାନଙ୍କୁ ମ.ରାମପୁର ଥାନାରେ ଜିମା ଦେଇଛନ୍ତି।

ସୂଚନା ଅନୁଯାୟୀ ନର୍ଲା ବ୍ଲକ୍ ସେରଗଡ଼ ଗ୍ରାମର ସୁଧାକର  ତିୱାରୀ(୪୫), ବଲାଙ୍ଗିର ସଇଁତଲା ଅଞ୍ଚଳର ସତୀଶ ଚନ୍ଦ୍ର ଜାଲ(୪୩) ଅପରାହ୍ଣରେ ସିଧାସଳଖ ବିଦ୍ୟାଳୟର ଶିକ୍ଷକ ରିଟନନାଗଙ୍କୁ ଖୋଜିଥିଲେ। ସେମାନେ ସ୍କୁଲ ଭିତରକୁ ପ୍ରବେଶ କରି ତାଙ୍କ ତଣ୍ଟି ଚିପୁ ଥିବା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟ ଶିକ୍ଷକମାନେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଅଭିଯୁକ୍ତ ଦୁଇ ଜଣ ଆମେ ଭିଜିଲାନ୍ସ, ସମ୍ବଲପୁରରୁ ଆସିଛୁ ବୋଲି ପରିଚୟ ପତ୍ର ଦେଖାଇଥିଲେ। ପରେ ସ୍ଥାନୀୟ ଲୋକେ ଏହି ଦୁଇ ନକଲି ଭିଜିଲାନ୍ସ ଅଧିକାରୀଙ୍କୁ କାବୁ କରି ପୁଲିସରେ ଜିମା ଦେଇଥିଲେ। ଘଟଣାସ୍ଥଳରେ ମ.ରାମପୁର ଥାନା ଓ କର୍ଲାମୁଣ୍ଡା ଫାଣ୍ଡି ପୁଲିସ ପହଞ୍ଚି ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଶିକ୍ଷକ ଶ୍ରୀ ନାଗ ମଧ୍ୟ ଆକ୍ରମଣକାରୀଙ୍କୁ ଚିହ୍ନିନଥିବା କହିଛନ୍ତି।