ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର କରି ନକଲି ଡାକ୍ତର ଗିରଫ

ଆଳି,ଏନ୍ଏନ୍ଏସ୍: ମେଡିକାଲ ବେଡ଼ରେ ଚିକିତ୍ସିତ ହେଉଥିବା ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର କରି ନକଲି ଡାକ୍ତର ଗିରଫ ହୋଇଛନ୍ତି। ଏହି ଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ। ଅଭିଯୋଗ ଅନୁଯାୟୀ ଆଳି ଅରଗଳ ଗାଁ’ର ସୁଶାନ୍ତ ମଲିକଙ୍କ ପତ୍ନୀ ସୀତା ମଲିକ ଡାଇରିଆରେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ସକାଳେ ଭର୍ତ୍ତି ହୋଇଥିଲେ। ରାତି ୧୧ଟାରେ ଜଣେ ଯୁବକ ନିଜକୁ ଗୋବିନ୍ଦପୁର ମେଡିକାଲର ଡାକ୍ତର କହି ମହିଳାଙ୍କୁ ରୋଗ ସମ୍ପର୍କରେ ପଚାରିଥିଲେ।

ଏହି ସମୟରେ ସେ ରୋଗୀଙ୍କୁ ଚେକଅପ ନାମରେ ଦୁର୍ବ୍ୟବହାର କରିଥିଲେ। ନିକଟରେ ଥିବା ମହିଳାଙ୍କ ସ୍ୱାମୀ ଏହାକୁ ବାରଣ କରିଥିଲେ। ଏହି ସମୟରେ ନକଲି ଡାକ୍ତର ଜଣଙ୍କ ସେଠାରୁ ଖସି ପଳାଇଥିଲା। ଆଳି ଥାନାରେ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ଆଳି ଥାନା ଆଇଆଇସି ସଲିଲ କୁମାର ପ୍ରଧାନ ପୁଲିସ ଟିମ ସହ ଯାଇ ନକଲି ଡାକ୍ତର ବଡାମ୍ବିଳା ଗ୍ରାମର ଦୀପକ ମହାନ୍ତିଙ୍କୁ ଗିରଫ କରିଥିଲା।