ସମ୍ବଲପୁରରୁ ୨୪୩ ବସ୍ତା ନକଲି ଡିଟରଜେଣ୍ଟ ଜବତ; ୨ ଅଟକ

ସମ୍ବଲପୁର,ଏନ୍ଏନ୍ଏସ୍: ନକଲି ଖାଦ୍ୟ ସାମଗ୍ରୀ ସହ ଦୈନନ୍ଦିନ ବ୍ୟବହୃତ ବସ୍ତୁ ମଧ୍ୟ ଭେଜାଲ ହେଉଥିବା ଖବର ଖାଉଟିଙ୍କୁ ବ୍ୟଥିତ କରାଉଛି। ନକଲି ତାଲିକାରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ ପରେ ଏବେ ସମ୍ବଲପୁର ସାମିଲ ହୋଇଛି। ଆଜି ସମ୍ବଲପୁର ସହରରେ ବିପୁଳ ପରିମାଣରେ ନକଲି ଡିଟରଜେଣ୍ଟ ଜବତ ହୋଇଛି।

ସୂଚନା ଅନୁସାରେ, କ୍ଷେତରାଜପୁର ଓ ଅଇଁଠାପାଲି ଥାନା ଅଞ୍ଚଳରେ ପୁଲିସ ଅତର୍କିତ ଚଢ଼ଉ କରି ଗୋଟିଏ ଦୋକାନ ଓ ଅନ୍ୟ ଏକ ଗୋଦାମରୁ ୨୪୩ ବସ୍ତା ନକଲି ଡିଟରଜେଣ୍ଟ ଜବତ କରିଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସର୍ଫ ଏକ୍ସସେଲ୍‌ ବ୍ରାଣ୍ଡରେ ନକଲି ଡିଟରଜେଣ୍ଟ ପ୍ୟାକିଂ କରାଯାଇ ଏହାକୁ ବିକ୍ରି କରାଯାଉଥିବା ନେଇ ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ କମ୍ପାନୀର ଲିଗାଲ ଏଟର୍ଣ୍ଣି ନୟନତାରା ଡେମୀ କ୍ଷେତରାଜପୁର ଓ ଅଇଁଠାପାଲି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ରେଲୱେ କ୍ରସିଂ ନିକଟରେ ଏକ ଦୋକାନରେ ଚଢ଼ଉ କରି ୫ ବସ୍ତା ନକଲି ସର୍ଫ ଏକ୍ସଲ ଜବତ କରିଛି।

ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯିବ। ଦୋକାନର ମାଲିକ ନରେଶ ଅଗ୍ରୱାଲଙ୍କୁ ଅଟକ ରଖାଯିବା ସହ ବରେଇପାଲି ଅଞ୍ଚଳର ନୂଆପଡ଼ା‌ରେ ଡିଷ୍ଟ୍ରିବ୍ୟୁଟର ଆଶିଷ ଅଗ୍ରୱାଲଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

ଆଶିଷଙ୍କ ନିକଟରୁ ୨୩୯ ବସ୍ତା ଡିଟରଜେଣ୍ଟ ଓ ଖୋଲାରେ ବିକ୍ରି କରାଯାଉଥିବା ଡିଟରଜେଣ୍ଟ ଜବତ କରିଥିଲା। ପ୍ରତି ବସ୍ତାରେ ୧୨୦ଟି ୧୦ଟଙ୍କିଆ ଡିଟରଜେଣ୍ଟ ଥିଲା। ପ୍ରତି ପ୍ୟାକେଟର ଓଜନ ୯୦ ଗ୍ରାମ ଅଛି ବୋଲି ପୁଲିସ ସୂଚନା ଦେଇଛି।