ନକଲି ସିବିଆଇ ଅଫିସର ଗିରଫ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନିଜକୁ ସିବିଆଇ ଅଫିସର କହି ଠକେଇ କରୁଥିବା ଜଣେ ଭିନ୍ନକ୍ଷମଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ପୋପରଦା ଅଞ୍ଚଳର ପାପୁନି ସ୍ୱାଇଁ ଓରଫ ନିଖିଲ(୩୪) । ଏନେଇ ପୁଲିସ କେସ୍ ନଂ ୫୦/୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଫେବୃୟାରୀ ୧୧ତାରିଖରେ ଅଭିଯୁକ୍ତ ନିଖିଲ ଏକ ଓଲା କାର୍‌ରେ ଯାଉଥିବା ସମୟରେ ତମାଣ୍ଡୋ ଅଞ୍ଚଳର ଟିକା ପୃଷ୍ଟି ନାମକ ଜଣେ ବ୍ୟକ୍ତି ମଧ୍ୟ ଯାଉଥିଲେ । ଏହି ସମୟରେ ଟିକା ତାଙ୍କ ଭାଣେଜିଙ୍କୁ କ୍ୟାନସର ହୋଇଥିବା ଡ୍ରାଇଭରଙ୍କୁ କହିଥିଲେ । ଏହିସବୁ ଶୁଣି ନିଖିଲ ଟିକା ପୃଷ୍ଟିଙ୍କ ଠାରୁ ଠକେଇ କରିବାକୁ ଟାର୍ଗେଟ୍ କରିଥିଲେ । ଏନେଇ ସେ ସମ୍ପୃକ୍ତ ଓଲା ଡ୍ରାଇଭରଙ୍କ ଠାରୁ ଟିକାଙ୍କ ମୋବାଇଲ ନମ୍ବର ଆଣିଥିଲେ । ପରେ ତାଙ୍କୁ ଯୋଗାଯୋଗ କରି ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇଥିଲେ । ଏଥିସହ ଆମେରିକାରେ ତାଙ୍କର ଚିହ୍ନା ଅଛି । ସେଠାରେ ତାଙ୍କ ଭାଣେଜିଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସାର ସୁବିଧା କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏନେଇ ୩୦ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଏକଥା ଶୁଣି ଟିକା ରାଜି ହୋଇଯାଇଥିଲେ ।

ଟିକାଙ୍କ ତମାଣ୍ଡୋ ଅଞ୍ଚଳରେ ଏକ ମୋବାଇଲ ଦୋକାନ ରହିଛି । ସେଠାକୁ ଫେବୃୟାରୀ ୧୨ତାରିଖରେ ନିଖିଲ ଯାଇଥିଲେ । ପରେ ଟିକାଙ୍କ ମନରେ ବିଶ୍ୱାସ ଜନ୍ମାଇ ୩୦ହଜାର ଟଙ୍କା ଓ ୪ଟି ଦାମୀ ଇଅର୍‌ବଡ୍ ନେଇଯାଇଥିଲେ । ଟିକା କିଛିଦିନ ପରେ ନିଖିଲଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ଧରାଛୁଆଁ ଦେଇନଥିଲେ । ଏମିତିକି ଫୋନ୍ ବି ଉଠାଇନଥିଲେ । ତେଣୁ ଠକାମିର ଶିକାର ହୋଇଥିବା ଜାଣିପାରି ଟିକା ପୃଷ୍ଟି ଗତ ମଙ୍ଗଳବାର ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରି ନିଖିଲଙ୍କୁ ତମାଣ୍ଡୋ ବଜାରରୁ ଗିରଫ କରିଥିଲା । ପରେ ତାଙ୍କୁ ଜେରା କରିବାରୁ ସେ ସବୁ ସତ ମାନିଛନ୍ତି ।

-ସଚିବାଳୟ କର୍ମଚାରୀ କହି ଠକେଇ
ନିଖିଲ ନିଜକୁ ସଚିବାଳୟ କର୍ମଚାରୀ କହି ଏୟାରପୋର୍ଟ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଠକେଇ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ କାର୍‌କୁ ସଚିବାଳୟରେ ଭଡ଼ାରେ ଲଗାଇଦେବାକୁ କହିଥିଲେ । ପରେ ତାଙ୍କ ଠାରୁ କାର୍ ଆଣି ପ୍ରଥମ ମାସରେ ୧୫ହଜାର ଟଙ୍କା ଦେଇଥିଲେ । ହେଲେ ପରେ ଆଉ ଟଙ୍କା ଦେଇନଥିଲେ । ଏହାପରେ ସମ୍ପୃକ୍ତ ଗାଡ଼ି ମାଲିକ ମାସିକ କିସ୍ତି ସୁଝିନପାରିବାରୁ ଫାଇନାନ୍ସ କମ୍ପାନୀ ଗାଡ଼ି ଭିଡ଼ି ନେଇଥିଲା । ଏହାପରେ ଗାଡ଼ିମାଲିକ ନିଖିଲଙ୍କୁ ଯୋଗାଯୋଗ କରିବାରୁ ସେ ଗାଡ଼ି ନେଇ ଆସିବେ ବୋଲି କହିଥିଲେ । ଏମିତିକି ତାଙ୍କର ଫାଇନାନ୍ସ କମ୍ପାନୀ ସହ ଭଲ ସମ୍ପର୍କ । କିଛି ଟଙ୍କା ଦେଲେ ସେମାନେ ଗାଡ଼ି ଦେବେ ବୋଲି ନିଖିଲ କହିଥିଲେ । ଏନେଇ ସମ୍ପୃକ୍ତ ଗାଡ଼ି ମାଲିକ ନିଖିଲଙ୍କୁ ୪୦ହଜାର ଟଙ୍କା ଦେଇଥିଲେ । ଟଙ୍କା ନେବା ପରେ ନିଖିଲ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ଗାଡ଼ି ମାଲିକ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ନିଖିଲଙ୍କୁ ଧରିବାକୁ ଉଦ୍ୟମ କରୁଥିଲା ।