ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଗତକିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି-୯୦, କାଲିମେଳା କନ୍ୟାଶ୍ରମ ନିକଟସ୍ଥ ପୋଲ ଉପରେ ୨ରୁ ୩ ଫୁଟ ବର୍ଷା ଜଳ ପ୍ରବାହିତ ହେବା ଫଳରେ ମାଲକାନଗିରିଠାରୁ ମୋଟୁ ଏବଂ କାଲିମେଳାଠାରୁ ପଡ଼ିଆ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣରୂପେ ବିଚ୍ଛିନ୍ନ ହୋଇଛି। ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଯାତ୍ରୀ ଅଟକି ରହିଥିବା ପରିଲକ୍ଷିତ ହୋଇଛି। ତେବେ ଗତ କିଛି ସମୟ ପୂର୍ବରୁ ଏମ.ଭି-୯୦ ଓ କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଥିବା ବର୍ଷା ଜଳ ହ୍ରାସ ପାଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଂଚଳର ପଞ୍ଚାୟତ ପିଇଓ, ଜିଆରଏସ ଓ ବିଭିନ୍ନ ପଦାଧିକାରୀଙ୍କୁ ସତର୍କତା ଅବଲମ୍ବନ କରିବା ସହ ଖାଦ୍ୟ ପଦାର୍ଥ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କାଲିମେଳା ସେବାଶ୍ରମ, ପୋଟେରୁ ନିକଟସ୍ଥ ଏମଭି-୪୧, ଗୁମୁକା ଅନ୍ତର୍ଗତ ଏମଭି-୬୪ ଉଚ୍ଚ ବିଦ୍ୟାଳୟ, ଏମଭି-୭୨ ବିଦ୍ୟାଳୟ, ଏମଭି-୭୯ ସାବେରୀ ବିଦ୍ୟାପୀଠକୁ ଅସ୍ଥାୟୀ ଆଶ୍ରୟସ୍ଥଳ ସହ ମୋଟୁ ଓ ବଦଲି ବନ୍ୟା ଆଶ୍ରୟସ୍ଥଳରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ବ୍ଲକରେ ୭୫.୬ ମିମି, ମାଥିଲି ବ୍ଲକରେ ୧୮୪.୦ ମିମି, ଖଇରପୁଟ ବ୍ଲକରେ ୯୨.୦ ମିମି, ଚିତ୍ରକୋଣ୍ଡା ବ୍ଲକରେ ୯୮.୦ ମିମି, କୋରୁକୋଣ୍ଡା ବ୍ଲକରେ ୧୪୭.୦ ମିମି, କାଲିମେଳା ବ୍ଲକରେ ୧୪୯.୦ ମିମି ଓ ପଡ଼ିଆ ବ୍ଲକରେ ୮୬.୨ ମିମି ସମେତ ମୋଟ ୮୩୧.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ୧୧୮.୮୩ ମିମି ବର୍ଷା ରେକର୍ଡ କରାଯାଇଛି।