ଖରସ୍ରୋତା ନଦୀରେ ବୁଡ଼ିଯିବା ଘଟଣା: ମିଳିଲା ଆଉ ଏକ ମୃତଦେହ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଯାଜପୁର,ଏନ୍ଏନ୍ଏସ୍: ଖରସ୍ରୋତା ନଦୀରେ ଗତ ୧୮ ତାରିଖରେ ୭ ଜଣ ବୁଡ଼ି ଯିବା ଘଟଣାରେ ମିଳିଲା ସମସ୍ତ ଯୁବକଙ୍କ ମୃତଦେହ । ଗତକାଲି ଅପରାହ୍ନରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ପୁଣି ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଯାହାଫଳରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଆଜି ଉଦ୍ଧାର ହୋଇଥିବା ମୃତ ଯୁବକଙ୍କ ନାଁ ବିଶ୍ୱଜିତ ଜେନା ଓରଫ ବବଲୁ ହୋଇଥିବା ସୁଚନା ମିଳିଛି । ଗତକାଲି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ୨୪ ଘଣ୍ଟା ହେବ ନିଜର ଅପରେସନ ଜାରି ରଖିଥିଲେ । ତେବେ ଅଗ୍ନିଶମ ବାହିନୀକୁ ଗତକାଲି କ୍ରିଷ୍ଣା ଜେନାର ମୃତଦେହ ମିଳିଥିବା ବେଳେ ଅପରାହ୍ନରେ କରନ ଜେନାଙ୍କ ମୃତଦେହ ମିଳିଥିଲା ।

ପୂର୍ବରୁ ଶୁଭମ ଜେନା ଓ ସୁବ୍ରତ ଜେନାର ମୃତଦେହ ମିଳିଥିଲା। ଅମିତ ଜେନା ସୁସ୍ଥ ହୋଇ କଟକ ବଡ଼ମେଡିକାଲରୁ ଗତକାଲି ରାତିରେ ଘରକୁ ଫେରି ଆସିଛନ୍ତି।

ସୂଚନା ଅନୁସାରେ, ଗତ ୧୮ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ହୋଲି ଖେଳି ସାରି ୭ ଜଣ ପିଲା ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀର ମଙ୍ଗଳାଘାଟକୁ ଗାଧୋଇବାକୁ ଯାଇଥିଲେ। ତେବେ ନଦୀର ସ୍ରୋତ ପ୍ରଖର ଥିବାରୁ ପିଲାମାନେ ଭାସିଯାଇଥିଲେ।