୨ୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ, ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଓଡ଼ିଶା ଡ୍ରାଇଭର ମହାସଂଘ ଜାରି ରଖିଛି । ଧର୍ମଘଟ ଆଜି ଦ୍ୱିତୀୟ ଦିନରେ ପହଁଚିଥିବାବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବୁଧବାରଠାରୁ ସମସ୍ତ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ଥିବାବେଳେ ଗୁରୁବାର ସରକାରୀ ବସକୁ ମଧ୍ୟ ଡ୍ରାଇଭର ସଂଘର ସଦସ୍ୟମାନେ ଅଟକାଇଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାସହ ଦୂରଦୂରାନ୍ତରୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ କାର୍ଯ୍ୟରେ ଆସିଥିବା ଜନସାଧାରଣ କିଭଳି ଘରକୁ ଫେରିବେ ସେନେଇ ଚିନ୍ତାରେ ଥିବା ଜଣାପଡ଼ିଛି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ମାଲବାହୀ ଟ୍ରକଗୁଡ଼ିକ ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ଟାଙ୍କିରେ ତେଲ ସରିବାକୁ ବସିଥିବାବେଳେ ପେଟ୍ରୋଲ ଓ ଡିଜେଲ୍ ଗାଡ଼ି ପେଟ୍ରୋଲ ପମ୍ପରେ ପହଁଚି ପାରୁନି । ଫଳରେ ୨ ଚକିଆ ଓ ୪ ଚକିଆ ଗାଡ଼ିକୁ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ଓ ଡିଜେଲ୍ ମିଳିପାରୁ ନଥିବା ଦେଖିବାକୁ ମିଳିଛି । ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପହଁଚି ପାରୁନଥିବାରୁ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ଡ୍ରାଇଭରମାନଙ୍କର ଏହି ଆନ୍ଦୋଳନ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି ।