ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଗର୍ଜିଲା ବିକେପି

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ନେଇ ଅନିୟମିତତା ଅଭିଯୋଗରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି । ସ୍ଥାନୀୟ କୁମୁଡ଼ା ପାହାଡ଼ଶୈବ ପୀଠରୁ ଦଳର ନେତା ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଦଳର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ମାଟି ଘରେ ରହୁଥିବା ସମସ୍ତ ଗରିବଙ୍କୁ ପକ୍କା ଘର ଦେବା ପାଇଁ ଯୋଜନା କରିଥିବାବେଳେ ରାଜ୍ୟ ସରକାରଙ୍କ ଇଙ୍ଗିତରେ ସ୍ଥାନୀୟ ପ୍ରଶାସନ ଥିଲାବାଲା ଲୋକଙ୍କୁ ଏଥିରେ ସାମିଲ କରି ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ଭଣ୍ଡୁର କରିଛନ୍ତି । ପ୍ରାୟ ବର୍ଷେ ହେବ ପଞ୍ଚାୟତ ସମିତି ବୈଠକ ବସୁନଥିବାରୁ ବ୍ଲକ ପ୍ରଶାସନ ମନୋମୁଖୀ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଦଳୀୟ ଭିତ୍ତିରେ ବିକ୍ରି ଚାଲିଛି । ଏହାର ପ୍ରମାଣ ଆମ ପାଖରେ ଅଛି ବୋଲି ସଭାପତି ଶ୍ରୀ ମହାନ୍ତି କହିଥିଲେ ।

ଦଳର ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ଓ ବରିଷ୍ଠ ନେତା ମହେନ୍ଦ୍ର ଠାକୁର ପ୍ରମୁଖ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲେ । ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଯିବ । ଅନ୍ୟମାନଙ୍କ ମଧ୍ୟରେ ଦଳର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡା. ନବୀନ ଜୈନ ଓ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଆଲୋକ ନାୟକଙ୍କ ସମେତ ଶତାଧିକ ଆବାସୀ ଆଶାୟୀ ଉପସ୍ଥିତ ଥିଲେ । ପରେ ବିଜେପି ନେତା ଟିଟିଲାଗଡ଼ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଏହାସହ ଶତାଧିକ ଆବାସ ଆଶାୟୀଙ୍କ ବ୍ୟକ୍ତିଗତ ଆବାସ ଆବେଦନ ପ୍ରଦାନ କରିଥିଲେ । ୨୦ ତାରିଖ ମଧ୍ୟରେ ଏହାର ବିହିତ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ତୀବ୍ର ହେବ ବୋଲିଚେତାବନୀ ଦେଇଛନ୍ତି । ଅନ୍ୟପଟେ ଟିଟିଲାଗଡ଼ ନଗର ବିଜେଡି ସଭାପତି ରଞ୍ଜିତ ପୃଷ୍ଟି ବିଜେପି ସବୁବେଳେ ଭିତ୍ତିହୀନ ଅଭିଯୋଗ କରିଥାଏ ବୋଲି କହିଛନ୍ତି ।