ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗିରୀଶ୍ ମୁର୍ମୁ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର କମ୍ପଟ୍ରୋଲର ଓ ଅଡ଼ିଟର ଜେନେରାଲ ଗିରୀଶ୍ ଚନ୍ଦ୍ର ମୁର୍ମୁ ଭେଟିଛନ୍ତି। ନବୀନ ନିବାସରେ ଏହି ସ୍ୱଳ୍ପ ସାକ୍ଷାତ ସମୟରେ ଉଭୟଙ୍କ ଭିତରେ ଆଲୋଚନାର ବିଷୟବସ୍ତୁ କ’ଣ ଥିଲା ତାହା ଜଣାପଡ଼ି ନଥିଲେ ହେଁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥାବାର୍ତ୍ତା କରିଥିବା ଜଣାପଡ଼ିଛି।
ଉଲ୍ଲେଖନୀୟ ଯେ, ଶ୍ରୀ ମୁର୍ମୁଙ୍କ ନିଜ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ। ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପରେ ସେ ପ୍ରଥମେ ତତ୍କାଳୀନ ଗୁଜରାଟର ମୁଖ୍ୟମନ୍ତ୍ରୀ ତଥା ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ (ପିଏସ୍) ଥିଲେ। ପରେ ସେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ରାଜ୍ୟପାଳ ହେବାର ସୋ÷ଭାଗ୍ୟ ଲାଭ କରିଥିଲେ। ସେଠାରୁ ଛାଡ଼ି ଶ୍ରୀ ମୁର୍ମୁ ଭାରତର ୧୪ତମ କମ୍ପ୍ଟ୍ରୋଲର ଓ ଅଡ଼ିଟର ଜେନେରାଲ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏଥିସହିତ ୟୁଏନ୍ ପାନେଲ ଅଫ୍ ଏକ୍ସଟରନାଲ ଅଡ଼ିଟରରେ ଅଧ୍ୟକ୍ଷ ଭାବେ ବି ସେ କାର୍ଯ୍ୟ କରୁଛନ୍ତି।