୨୨ ବର୍ଷ ହେଲାଣି ମାଗଣାରେ ଚିକିତ୍ସା କରୁଛନ୍ତି ଦିଲ୍ଲୀପ କୁମାର ନାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିକୁ ଶତ ପ୍ରତିଶତ ପ୍ରମାଣିତ କରିଛନ୍ତି ଡାକ୍ତର ଦିଲ୍ଲୀପ କୁମାର ନାୟକ। ଡାକ୍ତର ଦିଲ୍ଲୀପ ଦୀର୍ଘ ୨୨ ବର୍ଷ ହେଲାଣି ମାଗଣା ଚିକିତ୍ସା କରି ଆସୁଛନ୍ତି। ଏଥିସହିତ ଶରୀରରେ ବଳ ଥିବା ପର୍ଯ୍ୟନ୍ତ ମାଗଣାରେ ରୋଗୀଙ୍କ ଚିକିତ୍ସା ଜାରି ରଖିବେ ବୋଲି କହିଛନ୍ତି।

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳର ହୋମିଓପାଥିକ କ୍ଲିନିକର ଡ଼ା.ଦିଲ୍ଲୀପ ନାୟକ ଭୋର ସକାଳୁ ଉଠି ବେଲପାହାଡ଼ ମନ୍ଦିରପଡ଼ାରେ ଭଡ଼ାରେ ରହୁଥିବା ଘରେ ସକାଳ ୭ରୁ ସକାଳ ୯ଟା ଯାଏ ବିଭିିନ୍ନ ରୋଗୀଙ୍କୁ ଚିକିତ୍ସା କରନ୍ତି। ସକାଳ ସାଢ଼େ ୯ଟାରୁ ଦିନ ୧ଟା ଯାଏ ଗୁମାଡ଼େରା ଜାହାଜପଡ଼ିଆରେ ଥିବା ପୌରପରିଷଦ ଡ଼ାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରନ୍ତି। ଦିନ ୨ଟାରୁ ପୁଣି ଘରକୁ ରୋଗୀଙ୍କ ଆସିବା ଆରମ୍ଭ ହୁଏ। ଦିନ ୪ଟାରେ ଗାନ୍ଧିଛକଠାରେ ଏକ ଦୋକାନରେ ଡାକ୍ତର ଦିଲ୍ଲୀପ ନାୟକ ଏକ କ୍ଲିନିକ କରି ସେଠାରେ ମଧ୍ୟ ମାଗଣାରେ ରୋଗୀଙ୍କ ଚିକିତ୍ସା କରନ୍ତି। ପୁଣି ସେଠାରୁ ବାଇକରେ ବେଲପାହାଡ଼କୁ ଆସି ସଂନ୍ଧ୍ୟା ୬ଟାରୁ ରାତି ସାଢ଼େ ୯ଟା ଯାଏ ରୋଗୀଙ୍କ ଚିକିତ୍ସା କରନ୍ତି। ଚିକିତ୍ସା ବାବଦକୁ କୌଣସି ପାହୁଣା ନେଉନଥିବାରୁ ଡ଼ା.ଦିଲ୍ଲୀପଙ୍କ କ୍ଲିନିକରେ ଦିନରାତି ରୋଗୀଙ୍କ ଭିଡ଼ ଲାଗି ରହିଥାଏ। ୨୨ ବର୍ଷ ହେଲାଣି କିପରି ମାଗଣାରେ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିପାରୁଛନ୍ତି ବୋଲି ପଚାରିବାରୁ ଦିଲ୍ଲୀପ କହିଥିଲେ ଯେ, ସେ ଛୋଟବେଳୁ ଚିକିତ୍ସା ଅଭାବରୁ ଅନେକ ରୋଗୀ ମରିବା ଦେଖିଛନ୍ତି। ଆଜି ମଧ୍ୟ ଗାଁଗୁଡ଼ିକରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ଅଭାବରୁ ଚିକିତ୍ସା ପାଇପାରନ୍ତି ନାହିଁ। ଏଣୁ ଲୋକଙ୍କ ସେବା କରିବା ଲାଗି ମୁଁ ରୋଗୀଙ୍କଠାରୁ ଆଜି ପର୍ଯ୍ୟନ୍ତ କେବେ ବି ପାହୁଣା ନେଇନାହିଁ ବୋଲି ଦିଲ୍ଲୀପ କହିଛନ୍ତି। କେବଳ ଝାରସୁଗୁଡ଼ା ନୁହେଁ ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ସମେତ ଛତିଶଗଡ଼ରୁ ମଧ୍ୟ ଚିକିତ୍ସା ପାଇଁ ଡାକ୍ତର ଦିଲ୍ଲୀପଙ୍କ ପାଖକୁ ଆସନ୍ତି। ସମ୍ବଲପୁର ହୋମିଓପାଥିକ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀପ ପ୍ରାୟ ୨୨ବର୍ଷ ହେବ ଲୋକଙ୍କ କଲ୍ୟାଣ ନିମନ୍ତେ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି।