ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ବ୍ରଜରାଜନଗର ପୌରପରିଷଦର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ସହ ‘ଚାଏ ପେ ଚର୍ଚ୍ଚା’ କରିଛନ୍ତି । ଏହି ଅବସରରେ ସେ ସାଧାରଣ ଜନତାଙ୍କ ସହ ଚା’ ପିଇବା ସହ ସେମାନଙ୍କ ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ପୌରାଞ୍ଚଳରେ ଯୋଗ୍ୟ ହିତାଧୀକାରୀଙ୍କୁ ଶୀଘ୍ର ପ୍ରଧାନମନ୍ତ୍ରୀ ଆବସ ଘର ପ୍ରଦାନ, ପିଇବା ପାଣି ସମସ୍ୟା ଦୂରୀକରଣ, ଖଲିଆକାନୀ ତଥା ମଣ୍ଡଲିଆ ହସ୍ପିଟାଲରେ ଖାଲିଥିବା ଡାକ୍ତରଙ୍କ ପଦବୀ ପୂରଣ, ସ୍ଥାନୀୟ ନିଯୁକ୍ତି ପ୍ରଦାନ, ରାସ୍ତାଘାଟ ମରାମତି, ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଆଦି ଦିଗରେ ଲୋକେ କରିଥିବା ଦାବିକୁ ଶୀଘ୍ର ପୂରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସକାଳୁ ଲୋକଙ୍କ ପାଖରେ ପହଞ୍ଚିଲେ ସତେଜତା ସାଙ୍ଗକୁ ସକରାତ୍ମକ ପ୍ରଭାବ ପଡ଼ିଥାଏ। ତେବେ ସାଂସଦଙ୍କ ଏହି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣଲୋକଙ୍କ ଅସୁବିଧା ଦୂର ହେବାସହ ଆଗମୀ ପୌର ନିର୍ବାଚନ ପୂର୍ବରୁ ବିଜେପି ସହ ସ୍ଥାନୀୟ ଲୋକଙ୍କୁ ବହୁଳରୁ ବହୁଳ ଭାବେ ଯୋଡ଼ି ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।