ୟୁକ୍ରେନର ଡୋନବାଜ ସ୍କୁଲ ଉପରେ ଋଷର ବୋମାମାଡ ! ୬୦ରୁ ଅଧିକ ମୃତ ଆଶଙ୍କା

କିଭ,ଏଜେନ୍ସି: ୟୁକ୍ରେନରେ ଏବେବି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଋଷ। ପୂର୍ବ-ୟୁକ୍ରେନୀୟ ସହର ଡୋନବାଜରେ ଏକ ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇଥିବାବେଳେ ଏହା ଉପରେ ଋଷ ଫୋର୍ସ ବୋମାମାଡ କରିଥିବା ଅଭିଯୋଗ ହୋଇଛି। ଏହି ଆଶ୍ରୟସ୍ଥଳୀରେ ପ୍ରାୟ ୯୦ ଜଣ ସାଧାରଣ ନାଗରିକ ଆଶ୍ରୟ ନେଇଥିବାବେଳେ ୬୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହେବା ସହ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଅନ୍ୟ ୩୦ଜଣଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଡୋନବାଜ ଲୁହାନସ୍କ ପ୍ରଦେଶର ରାଜ୍ୟପାଳ।

ଆକ୍ରମଣରେ ସ୍କୁଲ ଅଟ୍ଟାଳିକାଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏବେ ମଧ୍ୟ ଧ୍ବଂସାବଶେଷ ତଳେ ଅନେକ ମୃତଦେହ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ମୃତାହତଙ୍କ ସଂଖ୍ୟା ପ୍ରାୟ ୬୦ ହେବା ନେଇ ମଧ୍ୟ ପ୍ରାଥମିକ ଭାବେ ଆକଳନ କରାଯାଉଛି। ମସ୍କୋ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ୨୦୧୪ ମସିହାରୁ ପୂର୍ବ-ୟୁକ୍ରେନୀୟ ରାଜ୍ୟ ଡୋନବାଜକୁ ସ୍ବତନ୍ତ୍ର ଦେଶ ଭାବେ ମାନ୍ୟତା ଦେବା ପାଇଁ ବିଦ୍ରୋହ କରି ଆସୁଛନ୍ତି। ଋଷ ମଧ୍ୟ ଏବେ ଉକ୍ତ ଅଞ୍ଚଳ ଦଖଲ କରିସାରିଥିବା ଦାବି କରିବା ସହ ଆକ୍ରମଣକୁ ତୀବ୍ର କରିଛି।

ଅନ୍ୟପଟେ ଆସନ୍ତାକାଲି ଯୁଦ୍ଧ ସମ୍ପର୍କିତ କିଛି ବଡ ଘୋଷଣା କରିପାରେ ଋଷ। ୯ ତାରିଖରେ ଋଷ ଯୁଦ୍ଧ ବନ୍ଦ ଘୋଷଣା କରିପାରେ ବୋଲି ମଧ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେବା ପରେ ଆସନ୍ତାକାଲି ଉପରେ ସମସ୍ତଙ୍କ ନଜର ରହିଛି। ଗତ ୨ ମାସରୁ ଅଧିକ ଦିନ ଧରି ଲାଗି ରହିଥିବା ଏହି ଯୁଦ୍ଧରେ ବ୍ୟାପକ କ୍ଷତି ସହିଛି ୟୁକ୍ରେନ। ଋଷ ମଧ୍ୟ ବିପୁଳ ସାମରିକ କ୍ଷତି ସହିଥିବା ଅନୁମାନ କରାଯାଉଥିବାବେଳେ ଋଷ କିନ୍ତୁ ଏପରି ଦାବିକୁ ଖଣ୍ଡନ କରିଆସିଛି। ଏକାଧିକ ଥର ଉଭୟ ଦେଶ ଆଲୋଚନା ଟେବୁଲରେ ଏକାଠି ହେବା ପରେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ। ତାହାରି ମଧ୍ୟରେ ଆସନ୍ତାକାଲି ଋଷର ନିଷ୍ପତ୍ତିକୁ ନେଇ ସମଗ୍ର ବିଶ୍ବର ନଜର ରହିଛି।