ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ସୁଖୋଇ ଯୁଦ୍ଧ ବିମାନର ନବୀକରଣ ଆରମ୍ଭ କରିବ ବାୟୁସେନା

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ-ଋଷ ଯୁଦ୍ଧର ପ୍ରଭାବ ପରେ ସମସ୍ତ ଦେଶ ନିଜର ସାମରିକ ରଣନୀତିରେ ପରବର୍ତ୍ତନ କରିବା ସହ ସେନାର ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ବାରୋପ କରୁଛନ୍ତି । ସେହିକ୍ରମରେ ଭାରତ ମଧ୍ୟ ବାୟୁସେନାର ଆଧୁନିକୀକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ଭାରତୀୟ ବାୟୁସେନାର ପ୍ରମୁଖ ଲଢୁଆ ବିମାନ ସୁଖୋଇ ଏମ-କେ ଆଇ (Su-30 MKI) ର ଅପଗ୍ରେଡେସନ କରିବାକୁ ନିଷ୍ପତ୍ତି ନେଇଛି ବାୟୁସେନା । ଏହି ଅପଗ୍ରେଡେସନ ପ୍ରକ୍ରିୟା ପାଇଁ ମୋଟ ୩୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ।

ଅନ୍ୟପଟେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୨ଟି ଉନ୍ନତ Su-30-MKI ବିମାନ କ୍ରୟ ପାଇଁ ହୋଇଥିବା ଚୁକ୍ତିରେ ମଧ୍ୟ ସାମାନ୍ୟ ବିଳମ୍ବ ଦେଖାଯିବାର ଆଶଙ୍କା ପ୍ରକାଶ ପାଇଛି । କାରଣ ଏହି ଅତ୍ୟାଧୁନିକ ବିମାନରେ ଭାରତୀୟ ଯନ୍ତ୍ରାଂଶ ଓ ଜ୍ଞାନକୌଶଳକୁ ସାମିଲ କରିବା ପାଇଁ ଭାରତ ସରକାର ନିର୍ମାତା କମ୍ପାନୀଙ୍କ ସହ କଥା ହୋଇଥିବା ଯୋଗୁଁ ଏହି ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ମଧ୍ୟ ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ବର୍ତ୍ତମାନ ବିଶ୍ବରେ ସାମରିକ ପରବର୍ତ୍ତନକୁ ଦୃଷ୍ଟିରେ ରଖି, ଭାରତୀୟ ବାୟୁସେନା ଏହାର ୮୫ ବିମାନକୁ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ନବୀକରଣ କରିବାକୁ ଯୋଜନା କରିଛି । ସୁଖୋଇ ବିମାନ ଋଷ ନିର୍ମିତ ହୋଇଥିବା ହେତୁ ଋଷ ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ମିଳିତ ସହଯୋଗରେ ଏହି ନବୀକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି ବିମାନଗୁଡିକରେ ଶକ୍ତିଶାଳୀ ରାଡାର ଏବଂ ଅତ୍ୟାଧୁନିକ ବୈଦ୍ୟୁତିକ ଯୁଦ୍ଧ ଓ ଯୋଗାଯୋଗ ସରଞ୍ଜାମ ସହିତ ଏହାକୁ ନୂତନ ମାନକ ଅନୁଯାୟୀ ଅଧିକ ଶକ୍ତିଶାଳୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।