ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପୂର୍ବତନ ପ୍ରଦେଶ କଂଗ୍ରେସ୍ ମୁଖ୍ୟ ସିଦ୍ଧୁ

ଚଣ୍ଡିଗଡ,ଏଜେନ୍ସି: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କୁ ଭେଟିବେ ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ। ଏହି ସାକ୍ଷାତକାର ନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଆଜି (ସୋମବାର) ସଂନ୍ଧ୍ୟାରେ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଘୋଷଣା କରିଛନ୍ତି। ତେବେ ରାଜ୍ୟର ଅର୍ଥନୀତିର ସୁଧାର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସିଦ୍ଧୁ ସ୍ପଷ୍ଟ କରିଥିବା ସତ୍ତ୍ବେ ମଧ୍ୟ ପଞ୍ଜାବ ରାଜନୀତିରେ ଏହି ଭେଟଘାଟକୁ ନେଇ ପୁଣି ଉଷ୍ମତା ବଢିଛି।

ଚଳିତ ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ସଭାପତିତ୍ବରେ ଦଳ ନିର୍ବାଚନ ଲଢୁଥିବାବେଳେ କ୍ଷମତାଚ୍ଯୁତ ହେବା ପାଇଁ ବାଧ୍ୟ ହୋଇଥିଲା। ପରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ସିଦ୍ଧୁଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ। ଇସ୍ତଫା ପରେ ସିଦ୍ଧୁ କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିଛି ଦିନର ବ୍ୟବଧାନ ପରେ ସିଦ୍ଧୁ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବା ନିଷ୍ପତ୍ତି ପରେ ପୁଣି ବିଭିନ୍ନ ଚର୍ଚ୍ଚା ପ୍ରକାଶ ପାଇବା ଆରମ୍ଭ କରିଛି।