ହଂସିନୀଙ୍କୁ ଡବଲ୍ ପଦକ

ନୂଆଦିଲ୍ଲୀ,ଏଜେନ୍ସି: ଗତ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରିଆର ଲିଞ୍ଜ୍‌ଠାରେ ଅନୁଷ୍ଠିତ ୱାର୍ଲ୍ଡ ଟେବଲ୍ ଟେନିସ୍ ୟୁଥ୍ କଣ୍ଟେଣ୍ଡର୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ହଂସିନୀ ମଥାନ୍ ରାଜନ୍ ଡବଲ୍ ପଦକ ହାସଲ କରିଛନ୍ତି । ସେ ୧୩ ବର୍ଷରୁ କମ୍ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣପଦକ ହାସଲ କରିବା ସହ ୧୫ ବର୍ଷରୁ କମ୍ ବର୍ଗରେ ବ୍ରୋଞ୍ଜ୍ ପଦକ ପାଇଛନ୍ତି । ରୋମାନିଆର ଆଣ୍ଡ୍ରିଆ ବାଇସୁଙ୍କୁ ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ୧୧-୩,୭-୧୧,୯-୧୧,୧୧-୦, ୧୧-୮ରେ ପରାସ୍ତ କରି ହଂସିନୀ ସ୍ୱର୍ଣ୍ଣପଦକଟି ଜିତିଛନ୍ତି ।

ସେହିପରି କ୍ୱାର୍ଟର୍ ଫାଇନାଲ୍‌ରେ ୩-୦ରେ ସାଉଥ୍ କୋରିଆର ଚୋଇ ହୋସିଆଙ୍କୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ହଂସିନୀ ଏହି ପର୍ଯ୍ୟାୟରେ ଅନ୍ୟତମ ସାଉଥ୍ କୋରିଆ ପ୍ରତିଯୋଗୀ ୟୁ ୟେରିନ୍‌ଙ୍କଠାରୁ ହାରିଯାଇଥିଲେ । ତେଣୁ ତାଙ୍କୁ ଅଣ୍ଡର୍‌-୧୫ ବର୍ଗରେ ବ୍ରୋଞ୍ଜ୍ ପଦକ ସହ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହି ଇଭେଣ୍ଟ୍‌ରେ ୟେରିନ୍‌ଙ୍କୁ ୫ଟି ଗେମ୍‌ରେ ପରାସ୍ତ କରି ଲି ସିଉନ୍‌ଗେଉନ୍ ଚାମ୍ପିଅନ୍ ହୋଇଛନ୍ତି ।