ବିପକ୍ଷୀଙ୍କ ଦୋ’ମୁହାଁ ଚେହେରା ପଦାରେ ପଡ଼ିଛି : ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: କୃଷକଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରି ନିଜ ରାଜନୈତିକ ସ୍ଥିତି ପରିବର୍ତ୍ତନ କରିବାକୁ ଚାହୁଁଥିବା ବିପକ୍ଷୀଙ୍କୁ କେନ୍ଦ୍ର ସରକାର କଡ଼ା ଜବାବ ଦେଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ବିପକ୍ଷ ଦଳକୁ ଆକ୍ରମଣ କରିଛନ୍ତି। ରବିଶଙ୍କର କହିଛନ୍ତି ଯେ, କୃଷକ ଆନ୍ଦୋଳନରେ ଡିଆଁ ମାରିଥିବା ବିପକ୍ଷ ଦଳର ଦୋ’ମୁହାଁ ଓ ଲଜ୍ଜାଜନକ ରୂପ ପଦାରେ ପଡ଼ିଛି। ଏମାନେ ନିଜ ରାଜନୈତିକ ଅସ୍ତିତ୍ୱ ବଜାୟ ରଖିବା ପାଇଁ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। କେବଳ ମୋଦୀ ସରକାରକୁ ବିରୋଧ କରିବା ହିଁ ବିପକ୍ଷଙ୍କ କାମ ହୋଇ ରହିଯାଇଛି।
କଂଗ୍ରେସକୁ ଟାର୍ଗେଟ କରି ରବିଶଙ୍କର କହିଛନ୍ତି ଯେ, ୨୦୧୯ ନିର୍ବାଚନ ଘୋଷଣାପତ୍ରରେ ନିଜେ କଂଗ୍ରେସ କୃଷି ସହିତ ଜଡ଼ିତ ଏପିଏମସି ଆକ୍ଟକୁ ସମାପ୍ତ କରିବା କଥା କହିଥିଲା। ଅନ୍ୟପଟେ ଆମ ଆଦମୀ ପାର୍ଟିକୁ ଆକ୍ରମଣ କରି ରବିଶଙ୍କର କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ୨୦୨୦ ନଭେମ୍ବର ୨୩ରେ କୃଷି ଆଇନକୁ ନୋଟିଫାୟ କରି ଦିଲ୍ଲୀରେ ଲାଗୁ କରି ଦେଇଥିଲେ। କିନ୍ତୁ ଏବେ ବିରୋଧ କରୁଛନ୍ତି ।