ବର୍ଷକରେ ଭିତରକନିକା ଜାତୀୟ ଉଦ୍ୟାନରେ ବଢିଛନ୍ତି ୧୦ ଡଲଫିନ

କେନ୍ଦ୍ରାପଡା,ଏଜେନ୍ସି: ବର୍ଷକରେ ବଢ଼ିଛନ୍ତି ୧୦ ଡଲଫିନ । ଭିତରକନିକା ଜାତୀୟ ଉଦ୍ୟାନରେ ଗତ ଡିସେମ୍ବର ୨୧ ତାରିଖ ଠାରୁ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଗଣନା କରାଯାଇଥିବା ଡ଼ଲଫିନଙ୍କ ସଂଖ୍ୟା ସମ୍ପର୍କରେ ଆସିଛି ସୂଚନା । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ୯ଟି ସ୍ଥାନରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଡଲଫିନ ଗଣନା କରାଯାଇଥିଲା । ଗତବର୍ଷ ଜାତୀୟ ଉଦ୍ୟାନରେ ମୋଟ ୫୪୦ଟି ଡଲଫିନକୁ ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ୫୫୦ଟି ଡ଼ଲଫିନ ଚିହ୍ନଟ ହୋଇଛି । ଏମାନଙ୍କ ସଂଖ୍ୟା ୧୦ଟି ବୃଦ୍ଧି ହୋଇଛି ।

ଜାତୀୟ ଉଦ୍ୟାନ ମଧ୍ୟରେ ମୁଖ୍ୟତଃ ୬ଟି ଇରାୱାଡି, ୫୨ଟି ବଟଲନୋଜ, ୪୮୯ଟି ହମ୍ପବ୍ୟାକ ଓ ୩ଟି ସ୍ପିନର ଜାତୀୟ ଡଲଫିନ ଦେଖିବାକୁ ମିଳିଥିବା ବେଳେ ଏମାନଙ୍କ ମଧ୍ୟରୁ ଷ୍ଟ୍ରିପେଡ ଓ ସ୍ପିନର ପ୍ରଜାତିର ଡଲଫିନ ଭିତରକନିକା ବ୍ୟତୀତ ଅନ୍ୟ କେଉଁଠାରେ ଦେଖା ଯାଆନ୍ତି ନାହିଁ । ତେବେ ଗତବର୍ଷ ଗୋଲାପୀ ରଙ୍ଗର ଦେଖାଯାଉଥିବା ଡଲଫିନ ବା ଇଣ୍ଡୋ-ପାସିଫିକ ଡଲଫିନ ଦେଖାଯାଇଥିବା ବେଳେ ଏହି ପ୍ରଜାତି କେବଳ ଭାରତ ଓ ଇଣ୍ଡୋନେସିଆର ପୂର୍ବ ଏବଂ ପଶ୍ଚିମ ଭାଗରେ ଦେଖାଯାଉଥିବା କହିଥିଲେ ଗଣନାକାରୀ । ଏଥିସହ ଗାଞ୍ଜାଟିକ ରିଭର ଡଲଫିନ ମଧ୍ୟ ଏହି ପରିସଂସ୍ଥାନ ମଧ୍ୟରେ ଦେଖାଯାଏ ବୋଲି କହିଛନ୍ତି ଗଣନାକାରୀ ।

ସୂଚନା ଅନୁସାରେ, ୨୦୧୫ ମସିହାରୁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଗଣନାକୁ ୭ବର୍ଷ ପୁରିବାକୁ ଯାଇଥିବା ବେଳେ ଗତବର୍ଷର ସଂଖ୍ୟାତ୍ମକ ବୃଦ୍ଧି ଅନେକ ଜୀବ ବିଜ୍ଞାନୀ, ପରିବେଶବିତ ଓ ସ୍ଥାନୀୟ ଜନସାଧାରଣଙ୍କୁ ଉତ୍ସାହିତ କରିଥିବା ବେଳେ ଚଳିତବର୍ଷ ଗଣନା କରାଯାଇଥିବା ଡ଼ଲଫିନଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ଏହି ପ୍ରଜାତିର ପରିସଂସ୍ଥାନ ପାଇଁ ଶୁଭଙ୍କର ବା ଅଶୁଭଙ୍କର କହିବା କଷ୍ଟସାଧ୍ୟ ହୋଇଛି । ଆଉଟର ହ୍ବିଲରରୁ ଚିଞ୍ଚିରି ପର୍ଯ୍ୟନ୍ତ ଏହି ଡ଼ଲଫିନ ଅଧିକ ସଂଖ୍ୟକ ଦେଖାଯାଇଥିବା କହିଛନ୍ତି ବନଖଣ୍ଡ ଅଧିକାରୀ।