ଡାକ୍ତର ଦିବସରେ ଡାକ୍ତରଙ୍କୁ ସଲାମ ଜଣାଇଲେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଦେଶ ଆମ ଡାକ୍ତରଙ୍କୁ ସଲାମ କରୁଛି। ଏହି ଡାକ୍ତରଙ୍କ ଯୋଗୁଁ ଆମେ କୋଭିଡ୍-୧୯ ବିରୋଧରେ ଦୃଢ ଭାବେ ଛିଡ଼ା ହୋଇପାରିଛୁ। ଏମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ନିଃସ୍ୱାର୍ଥପର ସେବା ଯୋଗୁଁ ଆମ ଦେଶ କରୋନା ଭଳି ରୋଗର ମୁକାବିଲା କରିପାରିଛି ବୋଲି ବୁଧବାର ପାଳିତ ଜାତୀୟ ଡାକ୍ତର ଦିବସରେ ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୋଭିଡ୍-୧୯ ସମୟରେ ଆମେ ଅଧିକ ମାତ୍ରାରେ ଡାକ୍ତରଙ୍କ ମହତ୍ତ୍ୱକୁ ଅନୁଭବ କରିପାରୁଛନ୍ତି ବୋଲି ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଡାକ୍ତର ଦିବସ ଅବସରରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ବିଶିଷ୍ଟ ଚିକିତ୍ସକ ବିସି ରାୟଙ୍କ ସମାଜ ପ୍ରତି ଥିବା ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କୋଭିଡ୍-୧୯ ଜରୁରିକାଳୀନ ପରିସ୍ଥିତିରେ ଡାକ୍ତରମାନେ କିଭଳି ନିଃସ୍ୱାର୍ଥପର ଭାବେ ନିଜ ଜୀବନକୁ ବାଜିଲଗାଇ ସେବା କରି ଚାଲିଛନ୍ତି ସେନେଇ ନିଜ ଟ୍ୱିଟରେ ଉଲ୍ଲେଖ କରି ଡାକ୍ତରଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଉପରାଷ୍ଟ୍ରପତି ନାଇଡୁ।