ଜେଜେବାପାଙ୍କ ଜୁଡୁବୁଡୁ ମୃତଦେହ ପାଖରୁ ୩ ବର୍ଷର ବାଳକକୁ ଉଦ୍ଧାର କଲା ସେନା

ସୋପୁର,ଏଜେନ୍ସି: ଜମ୍ମୁ-କଶ୍ମୀରର ସୋପୁର ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜେଜେବାପା ସହ ୩ ବର୍ଷର ନାତି ଯାଉଥିଲାବେଳେ ସୁରକ୍ଷାବାହିନୀ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଜାଜେବାପାଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ତାଙ୍କ ସହ ଯାଉଥିବା ୩ ବର୍ଷର ନାତି ରକ୍ତ ଜୁଡୁବୁଡୁ ଜେଜେବାପାଙ୍କ ଉପରେ ବସି ରହିଥିଲା ଏବଂ ତା ହାତରେ ଥିବା ବିସ୍କୁଟ୍ ରକ୍ତରେ ଭିଜିଯାଇଥିଲା। ତେବେ ତାକୁ ଜଣେ ଯବାନ ସେଠାରୁ ଉଦ୍ଧାର କରିଥିଲେ। ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ଯବାନଙ୍କ ପାଟ୍ରୋଲିଂ ଟିମ୍ ଉପରେ ଗୁଳି ମାଡ଼ କରୁଥିଲାବେଳେ ଜଣେ ବ୍ୟକ୍ତି ତାଙ୍କ ନାତିକୁ ଧରି ଏକ ମାରୁତି କାର୍ରେ ଶ୍ରୀନଗରରୁ ହନ୍ଦୱାରା ଯାଉଥିଲେ।

 

ତେବେ ସୋପୁର ଟାଉନ ଅତିକ୍ରମ କରୁଥିବା ବେଳେ ହଠାତ୍ ଆତଙ୍କୀମାନେ ସିଆରପିଏଫ ଯବାନଙ୍କ ଉପରେ ଗୁଳି ଚଳାଇବାରୁ କାର୍ରେ ଯାଉଥିବା ୬୦ ବର୍ଷୀୟ ବ୍ୟକ୍ତି ଜଣକ ନିଜ ନାତିକୁ ନେଇ ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହିଁଥିଲେ। ତେବେ ଏହି ସମୟରେ ତାଙ୍କ ଛାତିରେ ୨ଟି ଗୁଳିମାଡ଼ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ପଡିଥିଲେ ହେଁ କିଛି ଜାଣିପାରୁନଥିବା ଅବୋଧ ଶିଶୁଜଣଙ୍କ ସେହି ଶବ ଉପରେ ବସି କାନ୍ଦିବାରେ ଲାଗିଥିଲା। କଶ୍ମୀର ପୁଲିସ ପକ୍ଷରୁ କିଛି ଫଟୋ ଟ୍ୱିଟ୍ କରାଯାଇଛି। ଯେଉଁଥିରେ ଜଣେ ସୁରକ୍ଷାକର୍ମୀ କେମିତି ଶିଶୁଟିକୁ କାନ୍ଧରେ ଧରି ସୁରକ୍ଷିତ ସ୍ଥାନକୁ ଆସୁଛନ୍ତି, ତାର ଦୃଶ୍ୟ ରହିଛି।