ଭଉଣୀ ଦୁଷ୍କର୍ମର ପ୍ରତିଶୋଧ ନେଲା ଭାଇ

ନୂଆଦିଲ୍ଲୀ,ଏଜେନ୍ସି: ତିହାର ଜେଲରେ ଦୁଇ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ୨୦୧୪ରେ ଦିଲ୍ଲୀର ଆମ୍ବେଦକର ନଗର ଅଞ୍ଚଳର ବାସିନ୍ଦା ୨୮ବର୍ଷୀୟ ମେହତାବ ସ୍ଥାନୀୟ ଅଞ୍ଚଳର ଜାକିର ନାମକ ଜଣେ ୨୨ବର୍ଷୀୟ ଯୁବକର ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରିଥିଲା। ପୋକ୍ସ ଅଧିନିୟମ ଅନୁସାରେ ମେହତାବକୁ ଦୋଷୀ ଭାବେ ଜେଲ ହୋଇଥିଲା। ତେବେ ମାନସିକ ଆଘାତ ପାଇ ଜାକିରର ଭଉଣୀ ପରେ ଆତ୍ମହତ୍ୟା କରିଦେଇଥିଲା। ଭଉଣୀ ଆତ୍ମହତ୍ୟା ପରେ ଜାକିର ମାନସିକ ଆଘାତ ପାଇ ପ୍ରତିଶୋଧପରାୟଣ ହୋଇଉଠିଥିଲା। ତେବେ ମେହତାବ ତିହାର ଜେଲରେ ଥିବାରୁ ଜାକିର ତାକୁ କିପରି ହତ୍ୟା କରିବ ସେନେଇ ଯୋଜନା ବନାଇଥିଲା। ଫିଲ୍ମ ଷ୍ଟାଇଲ୍ରେ ଜାକିର ମଧ୍ୟ ଏକ ହତ୍ୟା ମାମଲାରେ ତିହାର ଜେଲକୁ ଆସିଥିଲା। ସକାଳ ପ୍ରାର୍ଥନା ସମୟରେ ସମସ୍ତ କଏଦୀ ଏକତ୍ର ହୋଇଥିବା ବେଳେ ଜାକିର ମେହତାବ ଉପରେ ଛୁରୀ ଦ୍ୱାରା ଆକ୍ରମଣ କରିଥିଲା। ମେହତାବକୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯିବା ବେଳେ ତା’ର ମୃତ୍ୟୁ ଘଟିଥିଲା।