ଆହତଙ୍କୁ ଚିକିତ୍ସା ପାଇଁ ନିଜ ଗାଡିରେ ହସ୍ପିଟାଲ ନେଲେ ଡାକ୍ତର

ବରଗଡ଼,ଏନ୍ଏନ୍ଏସ୍: ପଦ୍ମପୁର ନିକଟସ୍ଥ ବଗେଇଜୁରୀ ଛକରେ ସଡକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତର ସୁଦୀପ୍ତ ସାହୁ ନିଜ ଗାଡିରେ ହସ୍ପିଟାଲ ନେଇ ଚିକିତ୍ସା କରାଇଛନ୍ତି। ଏହି ଘଟଣାକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ ଯେ ଛତିଶଗଡ଼ ବସନା ପଟରୁ ବାଇକରେ ଆସୁଥିବା ୨ ଜଣ ଯୁବକଙ୍କୁ ବଗେଇଜୁରୀ ଛକରେ ଏକ କାର ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ପଦ୍ମପୁର ନିକଟସ୍ଥ ବରିକେଲର କ୍ଷେତ୍ର କୁମ୍ଭାର ଏବଂ ବଡମାଲର ହୃଦାନନ୍ଦ ବାଗ ଗୁରୁତର ଆହତ ହୋଇଥିଲେ।

ଦୁଇ ଯୁବକ ଗୁରୁତର ଆହତ ହୋଇ ପଡିରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ଆସିବାରେ ବିଳମ୍ବ ହୋଇଥିଲା। ଅପରପକ୍ଷେ ସେହି ରାସ୍ତାରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ସୁଦୀପ୍ତ ସାହୁ ନିଜ କାର୍ଯ୍ୟ ସାରି ଫେରୁଥିବା ସମୟରେ ରାସ୍ତାରେ ପଡିରହିଥିବା ଆହତ ଯୁବକମାନଙ୍କୁ ଦେଖିଥିଲେ। ସଙ୍ଗେ ସଙ୍ଗେ ଡାକ୍ତର ସାହୁ ସରେଇକେଲା ସରପଞ୍ଚ ଏବଂ ଡ୍ରାଇଭର ସୁରେଶ ସେଠଙ୍କ ସହାୟତାରେ ନିଜ ଗାଡିରେ ଆହତ ଯୁବକଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଥିଲେ।