ଟିକା ନେବା ସତ୍ତ୍ୱେ କରୋନାରେ ପ୍ରାଣ ହରାଇଲେ ଡାକ୍ତର

ବଲାଙ୍ଗିର,ଏନ୍ଏନ୍ଏସ୍: ଲୋଇସିଂହା ବ୍ଲକ୍ ଅଧୀନସ୍ଥ ରାକ୍ସିମୁଣ୍ଡା ସ୍ୱାସ୍ଥ୍ୟକେନ୍ଦରେ କାର୍ଯ୍ୟରତ ଆୟୁର୍ବେଦିକ ଡାକ୍ତର ଦିଲ୍ଲୀପ ଷଡ଼ଙ୍ଗୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ପ୍ରକାଶ ଥାଉକି ଡ. ଷଡ଼ଙ୍ଗୀ କରୋନା ଯୋଦ୍ଧା ଭାବେ ଦୁଇଟି ପର୍ଯ୍ୟାୟରେ ଟିକା ନେଇଥିଲେ। କିନ୍ତୁ ଟିକା ନେବା ସତ୍ତ୍ୱେ କରୋନାରେ ତାଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁସାରେ ଡ. ଷଡ଼ଙ୍ଗୀ ରାକ୍ସିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେବାରତ ଥିଲେ। କିଛି ଦିନ ପୂର୍ବରୁ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ସନ୍ଦେହରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ। ଟିକା ଗ୍ରହଣ କରିବା ପରେ ମଧ୍ୟ ସେ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା। ତାଙ୍କୁ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା।

୪ ଦିନ ଘରେ ରହିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବାକୁ ଲାଗିଲା। ପରିବାର ବର୍ଗ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଭେଣ୍ଟିଲେଟର ଓ ଆଇସିୟୁ ଅଭାବରୁ ତାଙ୍କୁ ଭୁବନେଶ୍ୱର ନେବାକୁ ପଡିଥିଲା। ଭୁବନେଶ୍ୱର ଯିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ବଲାଙ୍ଗିର ପ୍ୟାଲେସ ଲାଇନ ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ ଝିଅ ମୁଖାଗ୍ନି ଦେଇଥିବା ସୂଚନା ରହିଛି। ତେବେ ଜଣେ କାର୍ଯ୍ୟରତ ଡାକ୍ତର ଟିକା ଗ୍ରହଣ କରିବା ପରେ କରୋନାରେ ସଂକ୍ରମିତ ହେବା ଓ ସେବା ନପାଇ ପ୍ରାଣ ହରାଇବା ଲୋକଙ୍କୁ ଚକିତ କରିଦେଇଛି।