ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଜମିଦାର ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ରମେଶ ଚନ୍ଦ୍ର ସିଂ ଭୋଇଙ୍କ ବଡ଼ ପୁଅ ତଥା ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଟା ୪୦ରେ ମୃତ୍ୟୁ ହୋଇଛି।ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କିଛି ଦିନ ତଳେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସେ ଭାଙ୍ଗି ପଡ଼ିଥିଲେ। କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ପାଇଁ ଲଢେଇ କରି ଆସୁଥିଲେ।
ସେ ଉଚ୍ଚଶିକ୍ଷା ଲାଭ କରିବା ପରେ ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। ତାଙ୍କ ଇଚ୍ଛା ଚାକିରି ନଥିଲା। ଶେଷରେ ଚାକିରି ଛାଡିଦେଇ ରାଜନୀତିରେ ପାଦ ଦେଲେ। ପ୍ରଥମେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସ୍ୱର୍ଗତ ଜମିଦାର ତଥା ପୂର୍ବତନ ବିଧାୟକ ରମେଶ ସିଂ ଭୋଇ ସେ ଅନେକ ଥର ବିଧାୟକ ହୋଇଥିଲେ।
ପରେ ବ୍ରଜ କିଶୋର ସିଂ ଭୋଇ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଲେ। ପରେ କଂଗ୍ରେସ ଦଳକୁ ଛାଡି ବିଜେପିରେ ସାମିଲ ହୋଇଥିଲେ। ୨୦୧୪ ମସିହାରେ ବିଜେଡିରେ ସାମିଲ ହୋଇଥିଲେ। ସେ ସଇଁନ୍ତଳାର ଆଇନଜୀବୀ, ଆଦିବାସୀ ବାର୍ତ୍ତା ସମ୍ପାଦକ, ପଶ୍ଚିମାଞ୍ଚଳ ଆଦିବାସୀ ମହା ସଂଘ କାର୍ଯ୍ୟକାରୀ ସଭାପତି ଭଳି ଅନେକ ସ୍ଥାନରେ ଅନେକ ପଦବୀ ପାଇଥିଲେ। ଆଦିବାସୀ ମାନଙ୍କ ସ୍ୱରରେ ସ୍ୱର ମିଶାଇ ଲଢେଇ କରୁଥିଲେ। ତାଙ୍କ ଅକାଳ ବିୟୋଗରେ ସମଗ୍ର ଆଦିବାସୀ ସମାଜ ମର୍ମାହତ।