ପୁଣେ: ସମଗ୍ର ଦେଶରେ ଆଜି ଡକ୍ଟର୍ସ ଡେ’ ପାଳନ କରାଯାଉଥିବାବେଳେ ମହାରାଷ୍ଟ୍ରର ପୁଣେରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଆଜିର ଦିନରେ ଜଣେ ଡାକ୍ତର ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି। ସାମାନ୍ୟ କଥାରୁ ପରସ୍ପର ମଧ୍ୟରେ କଳହ ହେବାରୁ ଦୁହେଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଡାକ୍ତର ନିଖିଲ ସେଣ୍ଡକର (୨୭) ଓ ଡାକ୍ତର ଅଙ୍କିତା ନିଖିଲ ସେଣ୍ଡକର ଭିନ୍ନ ଭିନ୍ନ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଆଉ ନିକଟରେ ଦୁହେଁ ବିବାହ କରିଥିଲେ। କୌଣସି କଥାକୁ ନେଇ ବୁଧବାର ସଂନ୍ଧ୍ୟାରେ ନିଖିଲ ଓ ଅଙ୍କିତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ନିଖିଲ ଘରକୁ ଫେରିଲା ବେଳକୁ ଅଙ୍କିତା ପଙ୍ଖାରେ ଝୁଲି ଆତ୍ମହତ୍ୟା କରି ସାରିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅନ୍ୟପଟେ ପତ୍ନୀଙ୍କ ବିୟୋଗରେ ମାନସିକ ଭାରସାମ୍ୟ ହରାଇ ନିଖିଲ ମଧ୍ୟ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ନିଖିଲଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ବର୍ତ୍ତମାନ ସୁଦ୍ଧା ଡାକ୍ତର ଦମ୍ପତ୍ତିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।