ସୋସିଆଲ ମିଡ଼ିଆରେ ପଙ୍ଗପାଳ ଗୁଜବ, କୃଷି ବିଭାଗର ପକ୍ଷରୁ ଭୟଭୀତ ନହେବା ପାଇଁ ପରାମର୍ଶ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତର ଆଚାପାଠାରେ ପଙ୍ଗପାଳ ଆତଙ୍କ ଦେଖାଯାଇଥିବା ନେଇ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ବ୍ଲକ କୃଷି ବିଭାଗ ଏନେଇ ତନାଘନା ଆରମ୍ଭ କରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଗୁଜବ ନେଇ ଏହା ସ୍ପଷ୍ଟ ଅନୁମାନ କରାଯାଉଥିବା ବେଳେ ବ୍ଲକ କୃଷି ବିଭାଗ ଏକ ଟିମ ସମ୍ପୂର୍ଣ୍ଣ ଅଞ୍ଚଳ ବୁଲି ଦେଖିଥିଲେ।

ତେବେ ଏହା ଝିଣ୍ଟିକା ଆକାର ସଦୃଶ ବୋଲି କହିବା ସହ ଏହାକୁ ନେଇ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଛି। ରାମନାଗୁଡା ବ୍ଲକ ଅତିରିକ୍ତ କୃଷି ଅଧିକାରୀ ସୁଜାତା ନିଶଙ୍କ ନେତୃତ୍ୱରେ କୃଷି ବିଭାଗ ସମସ୍ତ କର୍ମଚାରୀ ବିଭିନ୍ନ ଅଞ୍ଚଳ ସମେତ କ୍ଷେତ୍ର ପରିଦର୍ଶନ କରି ପଙ୍ଗପାଳ ଆତଙ୍କ କୌଣସି ସୂଚନା ନଥିବା କହିଛନ୍ତି। ସେହିପରି କଣ୍ଡାଜାମରେ ମଧ୍ୟ କିଛି ଦିନ ତଳେ ଚାଷୀ ପଙ୍ଗପାଳ ଆତଙ୍କ ଦେଖାଯାଇଥିବା ନେଇ ଚାଷୀ କୃଷି ବିଭାଗକୁ ଖବର ଦେଇଥିଲେ। ଏନେଇ କୃଷି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସହ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଥିବା ବ୍ଲକ ଅତିରିକ୍ତ କୃଷି ଅଧିକାରୀ ସୁଜାତା ନିଶଙ୍କ ସୂଚନା ଦେଇଛନ୍ତି।