ଜିିଲ୍ଲାସ୍ତରୀୟ ନୋଡାଲ ବୈଠକ

ସାରର ଅଭାବି ବିକ୍ରି ନହେବାକୁ ଜିଲ୍ଲାପାଳଙ୍କ ତାଗିଦ

  • ନବରଙ୍ଗପୁର,ଏନଏନଏ: ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ କୋଭିଡର ପୂର୍ବ, ପର ଏବଂ ଆଶଙ୍କାରେ ଥିବା ତୃତୀୟ ଲହରର ସଫଳ ମୁକାବିଲା ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ସଂକ୍ରମଣ ହାର କମୁଥିବାରୁ ଏହାର ସଫଳ ମୁକାବିଲା କ୍ଷେତ୍ରରେ ନିୟୋଜିତ ଥିବା ବିଭାଗୀୟ ଅଧିକାରୀଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସାଧୁବାଦ ଜଣାଇଥିଲେ। ସେହିପରି ଜିଲ୍ଲାରେ ଟିକାକରଣ ଏବଂ ପରିଚାଳନା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ମୌସୁମୀ ବର୍ଷା ଆଗମନ ପରିପ୍ରେକ୍ଷୀରେ ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ ସାର ଏବଂ ବିହନ ଯୋଗାଇଦେବା ସହିତ ସାରର ଅଭାବ ବିକ୍ରି ଯେମିତି ନ ହୁଏ, ତାହା ଉପରେ ଗୁରୁତ୍ୱ ଦେବାପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାପକ ପରିମାଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷାଋତୁ ଯୋଗୁଁ ଜିଲ୍ଲାରେ ସମ୍ଭାବ୍ୟ ଡାଇରିଆର ନିରାକରଣ ଏବଂ ସଫଳ ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ଆଶା ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ପ୍ୟାକେଟ ଏବଂ ହାଲୋଜିନ ଔଷଧ ମହୁଜତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ମୋ ସ୍କୁଲ ଏବଂ ଇ-ପାଠାଗାରର ଆନୁଷଙ୍ଗିକ ସମସ୍ତ କାର୍ଯ୍ୟକ୍ରମ ଆସନ୍ତା ୨୫ ସେପ୍ଟେମ୍ବର ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୃକ୍ତ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ନୋଡାଲ ଅଧିକାରୀ ପିଡି ଡିଆରଡିଏ ରମାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ଉପଜିଲ୍ଲାପାଳ ଭାଷ୍କର ରଇତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପାଇ, ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓଡ଼ିଶା ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା ଉମା ମହେଶ, ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମେହେରୁନ ନିଶା ବେଗମ, ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ନାରାୟଣ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଗ ସୁଦାମ ଚରଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ, ଜେନେରାଲ ମ୍ୟାନଜେର ଜିଲ୍ଲା ଶିଳ୍ପ କେନ୍ଦ୍ର ଏ.ବାଣେଶ୍ୱର ରାଓ ସୁବୁଦ୍ଧିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗଦେଇଥିଲେ।