ଦେବଗଡ଼,ଏନ୍ଏନ୍ଏସ୍: ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯିବା ସହ ଜିଲ୍ଲାର ତିନି ବ୍ଲକ୍ ମୁଖ୍ୟାଳୟକୁ ଆଜି ପୁଲିସ ବଳ ପଠାଯାଇଛି। ଆଜି ପୂର୍ବାହ୍ଣରେ ସ୍ଥାନୀୟ ରିଜର୍ଭ ପୁଲିସ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆରକ୍ଷୀ ଅଧିକାରୀ ରାଜକିଶୋର ପାଇକରାୟ ଉପସ୍ଥିତ ରହି ପଞ୍ଚାୟତ ନିର୍ବାଚନ ପରିଚାଳନାର ବିସ୍ତୃତ ଦିଗ ଉପସ୍ଥିତ ଅଧିକାରୀ ଓ ପୁଲିସ ବଳଙ୍କୁ ବୁଝାଇଥିଲେ। ଏଥିସହ ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲା ପୁଲିସ ଅଧିକାରୀ ଓ ସମସ୍ତ ବର୍ଗର କର୍ମଚାରୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।
ଦେବଗଡ଼ ଜିଲ୍ଲାର ମୋଟ ୮୩୬ଟି ମତଦାନ କେନ୍ଦ୍ର ମଧ୍ୟରୁ ୧୨୪ଟି ସମ୍ବେଦନ ଶୀଳ ରହିଥିବା ଜଣାପଡିଛି। ଆଗାମୀ ୧୬ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ରିଆମାଳ ବ୍ଲକର ୩୧୨ଟି ମତଦାନ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ବ୍ଲକରେ ୪୭ଟି ସମ୍ବେଦନଶୀଳ ଓ ୩୫ଟି ଛାୟା ବୁଥ ରହିଛି। ଏସବୁ ଅଞ୍ଚଳରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିବା ବେଳେ ଜିଲ୍ଲାର ସୀମାବର୍ତି ଅଞ୍ଚଳରେ ପୁଲିସର ଯାଞ୍ଚକୁ ଜୋରଦାର କରାଯାଉଥିବା ଏସପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।