ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓପିଡି ବନ୍ଦ : ସଙ୍ଗରୋଧରେ ୨ ଡାକ୍ତର ଓ ୬ ସ୍ୱାସ୍ଥ୍ୟକର୍ମୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ୱାର୍ଡରେ ଗତକାଲି ଭର୍ତ୍ତି ହୋଇଥିବା ଜଣେ ୫୪ ବର୍ଷୀୟ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଓପିଡିକୁ ୩ଦିନ ପାଇଁ ବନ୍ଦ କରାଯିବା ସହ ଜେନେରାଲ ଆଉଟଡୋର ଓ ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଉକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨ଜଣ ଡାକ୍ତର ଓ ୬ଜଣ ନର୍ସ ତଥା ସ୍ୱାସ୍ଥ୍ୟକର୍ମୀଙ୍କୁ ସଙ୍ଗରୋଧରେ ରଖାଯାଇ ସ୍ୱାବ ସଂଗ୍ରହ କରାଯାଇଛି। ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ କରାଯାଇ ୩ଦିନ ମଧ୍ୟରେ ପୁଣି ପୂର୍ବପରି ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶଯୋଗ୍ୟ ଯେ, ସମ୍ପୃକ୍ତ ଆକ୍ରାନ୍ତ ଜଣଙ୍କୁ ଗତ ୨୩ ତାରିଖରେ ଜ୍ୱର, କାଶ ହେବାରୁ ସେ ସମଲେଶ୍ୱରୀ ନର୍ସିଂହୋମକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ସ୍ୱାବ ପରୀକ୍ଷଣ ପାଇଁ ଉପଦେଶ ଦେଇଥିଲେ। ଫଳରେ ସେ ଝାରସୁଗୁଡ଼ା କଲ୍ୟାଣ ମଣ୍ଡପସ୍ଥିତ ସ୍ୱାବ ସଂଗ୍ରହ କେନ୍ଦ୍ରରେ ସ୍ୱାବ ନମୁନା ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଗତକାଲି ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ସକାଳ ୯ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସଂଧ୍ୟାରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଝାରସୁଗୁଡ଼ାସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଏଡିଏମଓ ଡୋଲାମଣି ପଟେଲ କହିଛନ୍ତି।