ଭବାନୀପାଟଣା,ଏନ୍ଏନ୍ଏସ୍: ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଗତ ୨ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ପୁରୁଷ ଓ ମହିଳା ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରଥମ ଦିନରେ ଗ୍ରୁପ୍ ଇରେ ଏମ. ରାମପୁର ଭଲିବଲ ଦଳ ବିଜୟ ହୋଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଦିନରେ ଆଜି ଗ୍ରୁପ ଇରେ କେସିଙ୍ଗା ଦଳ ଉତ୍ତୀର୍ଣ୍ଣ ହୋଇ ଫାଇନାଲ ଖେଳିବାର ସୁଯୋଗ ପାଇଥିଲା । ଏହି ଅବସରରେ ଜିଲ୍ଲାପାଳ, କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଅତିଥିରୂପେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ୧୩ଟି ବ୍ଲକର ବାଳକ ଭଲିବଲ ଦଳ ଏବଂ ବାଳିକା ବିଭାଗର ୨ଟି ଦଳ ଅଂଶଗ୍ରହଣ କରିଥିଲେ । ବାଳିକା ବିଭାଗରେ କେସିଙ୍ଗା ମହିଳା ଭଲିବଲ ଦଳ ବିଜେତା ଓ ଭବାନୀପାଟଣା ମହିଳା ଭଲିବଲ ଦଳ ରନର୍ସଅପ ରୂପେ ବିବେଚିତ ହୋଇଛନ୍ତି । ସେହିପରି ବାଳକ ବିଭାଗରେ କେସିଙ୍ଗା ଭଲିବଲ୍ ଦଳ ବିଜେତା ଓ ଏମ ରାମପୁର ରନର୍ସଅପ ହୋଇଛନ୍ତି । ବିଜେତା ଏବଂ ରନର୍ସଅପ ଦଳକୁ ଆସନ୍ତା କଳାହାଣ୍ଡି ଉତ୍ସବ ୨୦୨୩ ମଞ୍ଚରେ ୧୦ ହଜାର ଏବଂ ୭ ହଜାର ଧନରାଶିର ପୁରସ୍କାର ପ୍ରଦାନ କରାଯିବ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅନୁଷ୍ଠିତ ସଭାରେ ଡିଏସଓ ରମେଶ ପାଢ଼ୀ, ଡିଆଇପିଆରଓ ମନୋଜ ବେହେରା, ଭଲିବଲ୍ କୋଚ୍ ଜ୍ଞାନେନ୍ଦ୍ର ବଢ଼େଇ, ପିଇଆଇ ମହେନ୍ଦ୍ର ପଣ୍ଡା ଓ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷକ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।