ଜୟ କିଷାନ ଆନ୍ଦୋଳନର ୨ ଦିନିଆ ଚିନ୍ତନ ଶିବିର

ବରଗଡ଼,ଏନ୍‌ଏନ୍‌ଏସ୍‌: ବରଗଡ଼ ଜିଲ୍ଲାର ସମତା ଭବନ ପରିସରରେ ଜୟ କିଷାନ ଆନ୍ଦୋଳନର ୨ ଦିନିଆ ବୈଚାରିକ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଚାଷୀ ନେତା ଶିବ ପ୍ରଧାନ ଓ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମେ ସଂଗଠନର କର୍ମୀ ଲକ୍ଷ୍ମଣ ସୁନା ସ୍ୱାଗତ ସଂଗ୍ରାମୀ ଗୀତ ଗାଇବା ପରେ ଶିବିର ଆରମ୍ଭ ହୋଇଥିଲା । ୨ ଦିନରେ ପ୍ରାୟ ୪ଟି ଅଧିବେଶନ ହୋଇଥିବାବେଳେ ସଂଗଠନର ସଭାପତି ସୁଶୀଲ କୁମାର ସାହା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ବର୍ତ୍ତମାନ ଚାଷୀ ସମ୍ମୁଖୀନ ହେଉଥିବା ଧାନ ବିକ୍ରି ସମସ୍ୟାଠାରୁ ଆରମ୍ଭ କରି ସଂଗଠନ ନିର୍ମାଣ ଓ ଆଗାମୀ ଦିନମାନଙ୍କରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ପ୍ରଭୃତି ସମ୍ପର୍କରେ ଶିବିରରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ମଣ୍ଡିରେ ଧାନ ବିକ୍ରି ସମସ୍ୟାକୁ ଦୂର କରିବା ପାଇଁ ବର୍ତ୍ତମାନର ଏହି ବ୍ୟବସ୍ଥାକୁ ବନ୍ଦ କରି ସୋସାଇଟି ଗୁଡ଼ିକରେ ଟୋକାନ ବ୍ୟବସ୍ଥା କରାଯିବା ସହ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥାରେ ଚାଷୀ କିପରି ସହଜ ଭାବେ ଧାନ ବିକ୍ରି କରିପାରିବେ ସେଥିପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବାକୁ ଶିବିରରେ ମତପ୍ରକାଶ ପାଇଥିଲା ।

ସେହିପରି ବିଦ୍ୟୁତ ବିଭାଗର ଚାଷୀ ମାରଣ ନୀତି ଓ ମାତ୍ରାଧିକ ବିଦ୍ୟୁତ ବିଲ କରି ହଇରାଣ କରୁଥିବାରୁ ଉପସ୍ଥିତ ଚାଷୀମାନେ ଉଦବେଗ ପ୍ରକାଶ କରିଥିଲେ । ନିର୍ବାଚନ ସମୟରେ ଚାଷୀ ତଥା କୃଷକ ସଂଗଠନଙ୍କୁ ବିଭିନ୍ନ ଦଳର ନେତାମାନେ ବ୍ୟବହାର କରୁଥିବା ଭଳି ଘଟଣାମାନ ଦେଖିବାକୁ ମିଳୁଥିବାରୁ ଜୟ କିଷାନ ଆନ୍ଦୋଳନ ବିଚାର ଓ ସଂଗଠନର ଭୂମିକା ସମ୍ପର୍କରେ ସ୍ୱଷ୍ଟ ଆଲୋଚନା କରାଯାଇ ଆଗାମୀ ଦିନମାନଙ୍କରେ କ’ଣ କାର୍ଯ୍ୟକ୍ରମ କରାଯିବ ସେନେଇ ରୂପରେଖ ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଥିଲା । ଏଥିସହିତ ଚାଷୀ ନେତା ଲିଙ୍ଗରାଜ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳମାନଙ୍କରେ ଧାନ ବିକ୍ରି, ବିଦ୍ୟୁତ ବିଲ, ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଥିବା ସମସ୍ୟାକୁ ନେଇ ଶିବିର ଓ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଚାଷୀ ନେତା ଶିବ ପ୍ରଧାନ, ଚଞ୍ଚଳ ପ୍ରଧାନ, ମହେଶ୍ୱର ପ୍ରଧାନ ଓ ଅରୁଣ ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ମତପ୍ରକାଶ କରିଥିଲେ । ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ବହୁ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।