ନବରଙ୍ଗପୁର,ଏନ୍ଏନ୍ଏସ: ଓଡ଼ିଶା ରେଡକ୍ରସ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ତରଫରୁ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ୩ଦିନ ଧରି ହେବାକୁ ଥିବା ଶିବିରରେ ସଭାପତିତ୍ୱ କରି ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ମହାବିଦ୍ୟାଳୟର ଉନ୍ନତିରେ ସମସ୍ତଙ୍କ ସହଯୋଗ ରହିଛି ଓ ପିଲାଙ୍କର ବୌଦ୍ଧିକ ବିକାଶ ନିମନ୍ତେ ସମସ୍ତ ଚେଷ୍ଟା ଚାଲିଛି ବୋଲି କହିଥିଲେ । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଏହି ଶିବିରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଶିବିର ଉଦଘାଟନ କରିଥିଲେ । ଏହାସହ ସାଂଗଠନିକ ଭାବରେ ପ୍ରତି କଲେଜରୁ ୨୫ଜଣ ଲେଖାଏଁ ପିଲାଙ୍କୁ ନେଇ ଫାଷ୍ଟଆଡ ତାଲିମ ଦିଆଯିବା ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ରେଡକ୍ରସର ଆଜୀବନ ସଭ୍ୟ ତଥା ଜନପ୍ରିୟ ସମାଜସେବୀ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ରେଡକ୍ରସର ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ଆପଦକାଳୀନ ଅଧିକାରୀ ମୌସୁମୀ ନାୟକ ଯୁବ ରେଡକ୍ରସର ବିକାଶ ନିମନ୍ତେ ସମସ୍ତ ଚେଷ୍ଟା ଜାରି ରହିବ ଓ ଏଥିପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ରହିଛି ବୋଲି କହିଥିଲେ । ଏଥିରେ ଜିଲ୍ଲାର ୨୫ଟି ମହାବିଦ୍ୟାଳୟରୁ ୧୦୦ଜଣ ସ୍ୱେଛାସେବୀଙ୍କ ସହ ରେଡକ୍ରସ କାଉନସିଲର ଓ ଅଧ୍ୟକ୍ଷମାନେ ଯୋଗ ଦେଇଛନ୍ତି । ଜିଲ୍ଲା ଯୁବ ରେଡକ୍ରସ ଆବାହକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଏବଂ ଅଧ୍ୟାପକ ସଚିନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ଡାକ୍ତରଖାନାରୁ ଡାକ୍ତର ମଳୟ ରଞ୍ଜନ ତ୍ରିପାଠୀ ଓ ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଅଖିଳ କୁମାର ଭଟ୍ଟ ସମ୍ବଳ ପ୍ରଶିକ୍ଷକ ଭାବେ ଯୋଗଦେଇ ସ୍ୱେଛାସେବୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ ।