ପଦ୍ମପୁର,ଏନ୍ଏନ୍ଏସ୍: କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ଆଜି ପଦ୍ମପୁର ଟାଉନ ହଲରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଯୋଗଦେଇ କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ପ୍ରାଥମିକ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ନିରନ୍ତର କୃଷି ଉତ୍ପାଦନ ଓ କୃଷକଙ୍କ ଆୟ ବୃଦ୍ଧି ହିଁ ସରକାରଙ୍କ ଲକ୍ଷ୍ୟ । ତେଣୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯେପରି ଓଡ଼ିଶାର ସମସ୍ତ ଚାଷୀ ଉଚିତ୍ ଭାବେ ପଞ୍ଜୀକୃତ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇଛନ୍ତି । ଆସନ୍ତା ଖରିଫ୍ ଋତୁରେ ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯେପରି କାର୍ଯ୍ୟକାରୀ ହୋଇପାରିବ ସେବିଷୟରେ ଆଜି ପଦ୍ମପୁର ଟାଉନ ହଲରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶାଳ କର୍ମଶାଳାରେ ଯୋଗଦେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ସବିଶେଷ ଆଲୋଚନା କରିଛନ୍ତି ।
ଚଳିତ ଖରିଫ୍ ଋତୁଠାରୁ ଫସଲ ବୀମାରେ ପଞ୍ଜୀକୃତ ହେବା ପାଇଁ ଚାଷୀଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ପ୍ଲଟ୍ ପିଛା ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ । ୨ ହେକ୍ଟର ପର୍ଯ୍ୟନ୍ତ ଚାଷୀଙ୍କର ବୀମା ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ । ତେଣୁ ଏହି ଖରିଫ୍ ଋତୁରେ ବହୁସଂଖ୍ୟକ ଚାଷୀ ବୀମାରେ ପଞ୍ଜୀକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ପ୍ରାଥମିକ କର୍ମକର୍ତ୍ତାଙ୍କ ଗୁରୁ ଦାୟିତ୍ୱ ରହିଛି । ଶସ୍ୟ କାଟ କରିବା ପାଇଁ କ୍ଷେତ୍ର ନିରୂପଣ, ପାଦମାପ କରିବାର ପ୍ରକ୍ରିୟା, ଅମଳ ପରିମାଣ, ରେଣ୍ଡମ୍ ସେମ୍ପଲିଙ୍ଗ୍, ସେଚିତ ଓ ଅଣସେଚିତ ଜମି ନିରୂପଣ, ଉନ୍ନତ ଓ ଦେଶୀ ଚାଷ ପ୍ରଣାଳୀ ଚୟନ ଆଦି ଭଳି ଜଟିଳ ପ୍ରକ୍ରିୟାଗୁଡ଼ିକ ବିଷୟରେ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେସବୁ ପ୍ରକ୍ରିୟାକୁ ବ୍ୟବହାରିକ ଭାବେ ପ୍ରାଥମିକ କର୍ମକର୍ତ୍ତାମାନେ ମଞ୍ଚରେ କରିକି ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ପଦ୍ମପୁର ଉପଖଣ୍ଡରେ ଅଧିକ ଉତ୍ସାହର ସହ କାମ କରି ଏହି ବୀମା ଯୋଜନାର ଲକ୍ଷ୍ୟକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଏଡିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମକର୍ତ୍ତାମାନେ ଏହି କର୍ମଶାଳାରେ ଭାଗନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରାପ୍ତ କରିଥିଲେ ।