ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ପାଳିତ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ଜିଲ୍ଲାର ୧୦ଟି ବ୍ଲକରୁ ଆସିଥିବା ୩ ଶହ ଜଣ ଯୁବ ପ୍ରତିଭାଙ୍କୁ ନେଇ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ନବରଙ୍ଗପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ମାନନୀୟ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଓ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ୍‌. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ. ଚନ୍ଦ୍ରଶେଖର ହୋତା, ଅଧ୍ୟକ୍ଷ ଡ. ଭାସ୍କର ନାଥ ବିଶ୍ୱାଳ, ସଂସ୍କୃତି ଅଧିକାରୀ ଘାସି ହରିଜନ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଶାରୀରିକ ଶିକ୍ଷା ନିରୀକ୍ଷକ ବିଭାଶିସ ଦେ, ଜିଲ୍ଲା ଯୁବ ରେଡ୍‌କ୍ରସ୍‌ ସମ୍ପାଦକ ଦିଲ୍ଲୀପ କୁମାର ହୋତା ଯୋଗଦେଇ ଯୁବ ସମାଜକୁ ମାର୍ଗ ଦର୍ଶନ କରିଥିଲେ। ଯୁବ ସମାଜକୁ ଆହ୍ୱାନ ଦେଇ ମୁଖ୍ୟ ଅତିଥି କହିଲେ ଯେ “ଯୁବକ ମାନେ ଆତ୍ମନିର୍ଭରଶୀଳ ହେବା ସହ ନିଜେ ନିଜକୁ ପ୍ରଥମେ ଭଲ ପାଇଲେ ଯାଇ ଅନ୍ୟମାନେ ତୁମକୁ ଭଲ ପାଇବେ”। ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଫିସର ବି. ରମେଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଯୁବକେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ଅଧ୍ୟକ୍ଷ ଡ. ଭାସ୍କର ନାଥ ବିଶ୍ୱାଳ ବକ୍ତବ୍ୟରେ ନିଜ ବ୍ୟକ୍ତିତ୍ୱର ବିକାଶ ସହିତ କିଛି କିଛି ପ୍ରତିଭାର ବିକାଶ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଥିଲେ।

ବରିଷ୍ଠ ପ୍ରାଧ୍ୟାପକ ଡ. ନୀଳାଚଳ ମିଶ୍ର ନିଜ ବକ୍ତବ୍ୟ ପ୍ରଦାନ କରି ଏହିପରି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି ସହ ଆଗାମୀ ଦିନରେ ଏକ ସଚେତନ ସମାଜ ପ୍ରତିଷ୍ଠା ପାଇଁ ସମସ୍ତେ ସହାୟକ ହୋଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ। ନେହୁରୁ ଯୁବକେନ୍ଦ୍ରର ମାର୍ଗଦର୍ଶିକା ଅନୁସାରେ ବକ୍ତୃତା, ଚିତ୍ରାଙ୍କନ, ଫୋଟୋଗ୍ରାଫି, କବିତା ଲିଖନ, ଯୁବ ସମ୍ବାଦ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉତ୍ସବ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଓ ଅନ୍ୟତମ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମନୋହର ରନ୍ଧାରୀ, ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁରର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ଯୁବ ସମାଜ ଭିତରେ ଥିବା ପ୍ରତିଭା ଗୁଡିକର ବିକାଶ ହେଲେ ଯାଇ ଜିଲ୍ଲାର ସମସ୍ତ କ୍ଷେତ୍ରରେ ବିକାଶ ହେବା ସହ ଜିଲ୍ଲା ପାଇଁ ଗୌରବ ଆସିପାରିବ ବୋଲି କହିଥିଲେ।

କର୍ଯ୍ୟକ୍ରମ ଆୟୋଜନରେ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ମାନସୀ ମହାପାତ୍ର, ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ଓ ଯୁବ ରେଡ଼୍‌କ୍ରସ୍‌ର କାଉନସିଲର ଅଧ୍ୟାପିକା ରଜନୀ ମିନଜ଼, ନିର୍ମଳା ହିକ୍କା, ଅଧ୍ୟାପକ ଅଶ୍ୱିନୀ କୁମାର ବେହେରା ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଶେଷରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଜାତୀୟ ସେବା ଯୋଜନାର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ସାମ୍ପ୍ରତିକ ସ୍ଥିତିରେ ଯୁବ ସମାଜର ସ୍ଥିତି ଓ ବିକାଶ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ କେନ୍ଦ୍ରର ସମସ୍ତ ସ୍ବେଚ୍ଛାସେବୀଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସହଯୋଗ କରିଥିଲେ।