ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୬ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୩ଟି ଗୋଷ୍ଠୀଗତ ହୋଇଥିବାବେଳେ ୫୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଏଥିରେ ବାର୍ଦ୍ଧକ୍ୟ ଭତ୍ତା, ଗ୍ରାମୀଣ ଆବାସ, ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା, ଆବଶ୍ୟକ ଚିକିତ୍ସା ସୁବିଧା, ନିଯୁକ୍ତି, ଭାରତ ମାଳ ପ୍ରକଳ୍ପର ଅନୁକମ୍ପା ରାଶି ପ୍ରଦାନ, ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ରିଭିଜନ ଓ ଜିଲ୍ଲା ରାଜମିସ୍ତ୍ରୀ ସଂଘ ପକ୍ଷରୁ ୧୦ଦଫା ଦାବିପତ୍ର ପ୍ରଦାନ ଆଦି ଅଭିଯୋଗର ଜିଲ୍ଲାପାଳ ଡାକ୍ଟର କମଳଲୋଚନ ମିଶ୍ର ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଂଜନ ସାମନ୍ତରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣ ଲତା ବିଶ୍ୱାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ଓ ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।