କୋଭିଡ କଟକଣା ମଧ୍ୟରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ନିଗ୍ଧାରାଣୀ ଚୌଧୁରୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଚୌଧୁରୀ କାର୍ଯ୍ୟସୂଚୀ ସମ୍ବନ୍ଧରେ ସୂଚନା ଦେଇଥିଲେ। ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ସକାଳ ୭ଟା ସମୟରେ ସଦର ମହକୁମାରେ ଥିବା ବିଭିନ୍ନସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କୋଭିଡ ନିୟମକୁ ପାଳନ କରାଯାଇ ସକାଳ ୮ଟା ସମୟରେ ପତାକା ଉତ୍ତୋଳନ କରାଯିବ। ପୂର୍ବାହ୍ନ ୯ଟା ସମୟରେ ଡି.ଏନ.କେ ଖେଳ ପଡ଼ିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ଅଭିବାଦନ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମୁଖ୍ୟ ଅତିଥିଙ୍କ ଦ୍ୱାରା କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ। ଚଳିତ ବର୍ଷ କେବଳ ପୁଲିସବାହିନୀ ବ୍ୟତୀତ ଅନ୍ୟ କୌଣସି ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ୟାରେଡ୍ କରିବାର ସୁଯୋଗ ଦିଆଯିବ ନାହିଁ। ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମକ ସଙ୍ଗୀତ ଏବଂ ରଚନା ପ୍ରତିଯୋଗିତା ଜିଲ୍ଲା ଶିକ୍ଷାଧିକାରୀ ଏବଂ ବାଳିକା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ୱାରା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ। ବନ ବିଭାଗ ତରଫରୁ ଜିଲ୍ଲା ପାଠାଗାର ପରିସରରେ ଅତିଥିଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ବିଭାଗର ପଦାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।