୨୮୧ ଗାଁକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର,ଏନ୍ଏନ୍ଏସ୍: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସ୍ୱାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି। ହେଲେ ଜିଲ୍ଲାପାଳ ଡା.ଅଜିତ କୁମାର ମିଶ୍ର ୨୮୧ ଗାଁକୁ ବାଲ୍ୟବିବାହ ମୁକ୍ତ ଗାଁ ଭାବେ ଘୋଷଣା କରିଛନ୍ତି। ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର ‘ଅନ୍ୱେଷା ଅଭିଯାନ’ ଆରମ୍ଭ କରିଛନ୍ତି। ଏହାଦ୍ୱାରା ୨୦୨୪ ସୁଦ୍ଧା ନବରଙ୍ଗପୁରକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ଅନ୍ୱେଷା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟ ବିବାହକୁ ବନ୍ଦ କରାଇବା ନିମନ୍ତେ ପ୍ରୟାସ ଜାରି ରହିଛି। ବିଶେଷ କରି ଗ୍ରାମଗୁଡ଼ିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର, ସ୍ୱୟଂସହାୟକ ଦଳମାନଙ୍କ ସହିତ ବାଲ୍ୟ ବିବାହର କୁପରିଣାମ ବୈଠକ, ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ମାସର ସବୁ ଶନିବାର କିଶୋରୀଙ୍କର ବୈଠକ କରାଯିବ। ଏଥିରେ ନାବାଳିକା ବିବାହର କୁପରିଣାମ, ରକ୍ତହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୌହସାର ବଟିକାକୁ କିଶୋରୀଙ୍କୁ ସେବନ କରିବାକୁ ଦିଆଯାଉଛି। ଏହାର ପ୍ରଭାବରେ ଗ୍ରାମଗୁଡ଼ିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର, ସ୍ୱୟଂସହାୟକ ଦଳମାନେ ଜିଲ୍ଲାର ବିଭିନ୍ନ ଗ୍ରାମଗୁଡ଼ିକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ସିଡିପିଓଙ୍କ ଜରିଆରେ ଆବେଦନ କରିଥିଲେ। ପରେ ଜିଲ୍ଲାପାଳ ଡା. ମିଶ୍ର ଜିଲ୍ଲାର ମୋଟ ୨୮୧ଟି ଗ୍ରାମକୁ ଆନୁଷ୍ଠାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଛନ୍ତି। ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଗତବର୍ଷ ନଭେମ୍ବର ମାସରେ ୫ଟିଗ୍ରାମ, ଚଳିତ ବର୍ଷ ଏପ୍ରିଲ ମାସରେ ୪୭ ଗ୍ରାମ, ମେ’ ମାସରେ ୩୬ ଗ୍ରାମ, ଜୁଲାଇ ମାସରେ ୮୪ ଟି ଓ ଅଗଷ୍ଟ ୧୦୯ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଅଦ୍ୟାବଧି ଘୋଷଣା କରାଯାଇଛି। ସେଥିମଧ୍ୟରୁ ପାପଡ଼ାହାଣ୍ଡି ବ୍ଲକରେ ୧୩୦ଟି ଗାଁ, ଝରିଗାଁ ବ୍ଲକରେ ୧୫ଟି ଗାଁ, ନବରଙ୍ଗପୁର ବ୍ଲକରେ ୧୪ ଟି ଗାଁ , ନନ୍ଦହାଣ୍ଡି ବ୍ଲକରେ ୭ଟି ଗାଁ, କୋଷାଗୁମୁଡ଼ା ବ୍ଲକରେ ୧୪ଟି ଗାଁ, ଡାବୁଗାଁ ବ୍ଲକରେ ୧୬ଟି ଗାଁ, ଉମରକୋଟ ବ୍ଲକରେ ୩୯ ଟି ଗାଁ ଓ ରାଇଘର ବ୍ଲକ ରେ ୪୬ ଟିଗାଁ ଗ୍ରାମ ଅନ୍ତର୍ଭୁକ୍ତ ରହିଛି।