ଜିଲ୍ଲାସ୍ତରୀୟ ‘ବେଟି ବଞ୍ଚାଅ ବେଟି ପଢ଼ାଓ’ କର୍ମଶାଳା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ‘ବେଟି ବଞ୍ଚାଅ ବେଟି ପଢ଼ାଓ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଅଧ୍ୟକ୍ଷତା କରି କହିଛନ୍ତି ଯେ, ଜିଲ୍ଲାରେ ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ଖୁସିର କଥା ଆମ ଜିଲ୍ଲା ନବରଙ୍ଗପୁରରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ । କିନ୍ତୁ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲାରେ ସମସ୍ତ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା କରି ଆହୁରି ଅଧିକ କାର୍ଯ୍ୟ କରିବାକୁ ପଡ଼ିବ ।

ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ ଆମ ଜିଲ୍ଲାରେ ଯଦିଓ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ତଥାପି ଜିଲ୍ଲାରେ ବାଳିକାଙ୍କର ଶିକ୍ଷା ଓ ବାଲ୍ୟ ବିବାହକୁ ରୋକିବା ଦିଗରେ ଏହି ଅଭିଯାନ କାର୍ଯ୍ୟ କରିବ ବୋଲି କହିଥିଲେ । ପରେ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଥିବା ଜିଲ୍ଲା, ବ୍ଲକ ଓ ପଞ୍ଚୟତସ୍ତର କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିଷଦ ଭାବରେ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଉପଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଭୋଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କମଳା କୁମାରୀ ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଅଜନ୍ତା ପ୍ରିୟଦର୍ଶିନୀ, ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ ପଲାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନବକିଶୋର ବେହେରା ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ଏସେ ଗୀତା ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ବେଟି ବଞ୍ଚାଅ ବେଟି ପଢ଼ାଓ ଏବଂ ବାଲ୍ୟ ବିବାହ ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ ।