ରିଆମାଳରେ ଖୋଲିଲା ଜିଲ୍ଲାର ୨ୟ ଦୁଗ୍ଧ ଶିତଳୀକରଣ କେନ୍ଦ୍ର, ଗୋପାଳନ ପାଇଁ ଓଏମସି ପକ୍ଷରୁ ୨ କୋଟି ସହାୟତା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓମଫେଡ ପକ୍ଷରୁ ସମ୍ବଲପୁର ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ଜରିଆରେ ଆଜି ଜିଲ୍ଲାର ରିଆମାଳ ବ୍ଲକ ମୁଖ୍ୟାଳୟରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ରିଆମାଳ ଶିବ ମନ୍ଦିର ନିକଟରେ ନବ ନିର୍ମିତ ଦୁଗ୍ଧ ସଂଗ୍ରହ କୋଠାରେ ୧ ହଜାର ଲିଟର ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ଯନ୍ତ୍ର ସ୍ଥାପନ କରାଯାଇଥିବାବେଳେ ଆଜି ଏହାକୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଫିତା କାଟି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓମଫେଡ ସାଧାରଣ ପରିଚାଳକ ଡାକ୍ତର ସରୋଜ କୁମାର ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାକ ସତ୍ୟ ରଞ୍ଜନ ରାଉତ, ଓମଫେଡ ସହକାରୀ ପରିଚାଳକ ଡାକ୍ତର ସଞ୍ଜୀବ କୁମାର ଶତପଥୀ, ସାମୁଲ ସଭାପତି ବିଦ୍ୟାଧର ପ୍ରଧାନ ଓ ରିଆମାଳ ବିଡିଓ ଦିବ୍ୟଶଙ୍କର ଜୟପୁରିଆ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଦୁଗ୍ଧ ଚାଷୀଙ୍କୁ ଉଦବୋଧନ ଦେଇଥିଲେ । ଏହାସହ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ସରକାରଙ୍କ ଏହି ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିବା ସହ ପଞ୍ଜିକୃତ ଦୁଗ୍ଧ ଚାଷୀଙ୍କୁ ଓମଫେଡ ପକ୍ଷରୁ ଗୋଖାଦ୍ୟ, ଔଷଧ ଓ ଆଧୁନିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବା ନେଇ ସୂଚନା ଦେଇଥିଲେ । ସେହିପରି ଆଗାମୀ କିଛି ମାସ ମଧ୍ୟରେ ତିଳେଇବଣି ବ୍ଲକରେ ମଧ୍ୟ ଦୁଗ୍ଧ ଚାଷୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଛନ୍ତି । ସେହିପରି ଓଏମସି ପକ୍ଷରୁ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଦେବଗଡ଼ ଜିଲ୍ଲାରେ ଡାଏରୀ ଡେଭଲପମେଣ୍ଟ ପାଇଁ ପ୍ରାୟ ୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ଏହା ସହାୟକ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଛନ୍ତି । ଆଜି ଦୁଗ୍ଧ ଚାଷୀଙ୍କ ପାଇଁ ଉଦଘାଟିତ ଦୁଗ୍ଧ ଶିତଳୀକରଣ ଓ ସଂଗ୍ରହ କେନ୍ଦ୍ର ଉଦଘାଟନ ଦିବସରେ ରିଆମାଳ, ଶିମିଳିତା, ଟିଂକବିର, ମଳେଇପଡ଼ା, ନାଉଲିପଡ଼ା, ଦଶଘରିଆ ଓ ଧଉରାଗୋଠ ଦୁଗ୍ଧ ସେବା ସମବାୟରେ ପଞ୍ଜିକୃତ ଚାଷୀ ଉତ୍ପାଦିତ କ୍ଷୀର ପ୍ରଦାନ କରିଥିଲେ । ଅଞ୍ଚଳରେ ଦୁଗ୍ଧ ଚାଷୀ ସେମାନଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।