ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ସମ୍ମାନିତ ଅତିଥିଭାବେ ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସ, ଅତିରିକ୍ତ ଶିକ୍ଷାଧିକାରୀ ବିନୋଦ କୁମାର ସିଂ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଇପ୍ସିତା ପଟ୍ଟନାୟକ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ ରସାୟନ ବିଜ୍ଞାନ ପ୍ରଫେସର ବାମାକାନ୍ତ ଗଡ଼ନାୟକ ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରିବା ସହ ଉପସ୍ଥିତ କୁନି ବୈଜ୍ଞାନିକଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଜିଲ୍ଲାର ୩ଟି ବ୍ଲକରୁ ବରିଷ୍ଠ ବିଭାଗରେ ୧୦ଟି ଲେଖାଏଁ ଓ କନିଷ୍ଠ ବିଭାଗରେ ୫ଟି ଲେଖାଏଁ ମୋଟ ୪୫ଟି ବିଦ୍ୟାଳୟରୁ ୪୫ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ଏହି ପ୍ରଦର୍ଶନୀରେ ଶ୍ରେଷ୍ଠ ୫ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ପ୍ରଦର୍ଶନୀକୁ ଉନ୍ନୀତ ହେବ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରାଣବନ୍ଧୁ ଗଡ଼ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ରାଜା ବାସୁଦେବ ହାଇସ୍କୁଲର ପ୍ରଧାନଶିକ୍ଷକ ଈଶ୍ୱର ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ ।