ଭବାନୀପାଟଣାରେ ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ

ଭବାନୀପାଟଣା,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଓସୱାନ ସେଣ୍ଟରରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ଯେପରି ରାସାୟନିକ ଦୁର୍ଘଟଣା ନହୁଏ ସେଥିପ୍ର୍ରତି ବିଶେଷ ଯତ୍ନବାନ୍ ଓ ଜୀବନହାନୀ ପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ୱାରୋପ କରିବା ସହ ଆପାତକାଳୀନ ଟିମର ଅଧିକାରୀ ଦାୟିତ୍ୱବାନ ହେଲେ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାସାୟନିକ ପଦାର୍ଥ ବହନକାରୀ ଭାରୀଯାନଗୁଡ଼ିକ ଚଳାଚଳ କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ମତ ପ୍ରକାଶ ପାଇଥିଲା । ଦୈବାତ କୌଣସି ଅଘଟଣ ଘଟିଲେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ମିଳିତଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହମତି ପ୍ରକାଶ ପାଇଥିଲା । ସମସ୍ତ ଶିଳ୍ପାନୁଷ୍ଠାନର ଆପାତକାଳୀନ କର୍ମଚାରୀଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ସବୁବେଳେ ସତର୍କ ରହିବା ସହ ନିୟମିତ ବ୍ୟବଧାନରେ ମକଡ୍ରିଲ୍ ଅଭ୍ୟାସ ଓ ସଚେତନତା କର୍ମଶାଳା ଆୟୋଜନ କରିବାକୁ କହିଥିଲେ । ସିଡିଏମଓ ଡା. ରଞ୍ଜନ ମିତ୍ର, ଡିଏସପି ବି.ସେଠୀ, ଅତିରିକ୍ତ ନିର୍ଦ୍ଦେଶକ କାରଖାନା ଚନ୍ଦ୍ରଶେଖର ବେହେରା, ଜିଲ୍ଲା ଅଗ୍ନିଶମ ଅଧିକାରୀ ବିଶ୍ୱନାଥ ମୁଣ୍ଡା, ଆଞ୍ଚଳିକ ଅଧିକାରୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ଼ା ହେମନ୍ତ ନାଥ ନାୟକ, ସିଡିଏଓ ପ୍ରଦୀପ କୁମାର ସାହୁ ଓ ଓମଫେଡ ଅଧିକାରୀ ବିଷ୍ଣଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଜରୁରୀ ଅଧିକାରୀ ପ୍ରମୋଦ ଖିଲୋ ଧନ୍ୟବାଦ ଦେଇଥିଲେ ।