ଦେବଗଡ଼,ଏନ୍ଏନ୍ଏସ୍: ଆଦାନୀ ଗ୍ରୁପର ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାମ ପ୍ରତିବାଦରେ ଆଜି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ପଦାଧିକାରୀ ଓ କର୍ମୀ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦାନୀ ଗ୍ରୁପର ଅହେତୁକ ଅନୁକମ୍ପା ଯୋଗୁ ଦେଶର କୋଟି କୋଟି ଜନସାଧାରଣଙ୍କ ହଜାର ହଜାର କୋଟି ଟଙ୍କା ବୁଡ଼ିବାକୁ ବସିଥିବାବେଳେ କେନ୍ଦ୍ର ସରକାର ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରିବାକୁ ନିନ୍ଦା କରିଥିଲେ । ଆଦାନୀ ଗ୍ରୁପର ଅର୍ଥନୈତିକ ଅପରାଧ ପ୍ରସଙ୍ଗକୁ ସଂସଦରେ ଆଲୋଚନା ସହ କଳା କାରନାମାର ପର୍ଦାଫାଶ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ତତ୍ୱାବଧାନରେ କିମ୍ୱା ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ ପାଇଁ ଦାବୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଉପସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ, ସୁବାଷ ଚନ୍ଦ୍ର ଭୋଇ, ଏସସି ସେଲ ସଭାପତି ମଞ୍ଜୁଳ ନାୟକ, ଓବିସି ସେଲ ସଭାପତି ଡିଲେଶ୍ୱର ସାହୁ, କ୍ଷିତୀଶ କୁମାର ପ୍ରଧାନ, ତିଳେଇବଣି ବ୍ଲକ ସଭାପତି ଗଣେଶ ପ୍ରଧାନ, ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ, ଆମର୍ଜିତ ବାର୍ଲା, ବରିଷ୍ଠ ନେତା ପ୍ରମୋଦ କୁମାର ମିଶ୍ର ଓ ବସନ୍ତ କୁମାର ମିଶ୍ରଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।