ଜିଲ୍ଲା କଳା ଓ ଖେଳ ଶିକ୍ଷକ ମହାସଂଘର ବିକ୍ଷୋଭ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲାର କଳା ଓ ଖେଳ ଶିକ୍ଷକ ମହାସଂଘ ପକ୍ଷରୁ ମଙ୍ଗଳବାର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟଠାରେ କଳା ଓ ଖେଳ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ଯୁବକ ଯୁବତୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଳା ଓ ଖେଳ ଶିକ୍ଷକ ପାଇଁ ଆବେଦନ କରିବାକୁ ଦୀର୍ଘ ୨ ବର୍ଷ ବିତିଯାଇଥିଲେ ମଧ୍ୟ ମେରିଟ ଲିଷ୍ଟ ଏଯାଏଁ ପ୍ରକାଶ ପାଇନାହିଁ । ବହୁବାର ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ । କରୋନା ପାଇଁ ବନ୍ଦ ଥିବା କୁହାଯାଉଛି । ତେବେ ଉପର ଅଫିସରୁ କିଛି ଚିଠି ଆସିନାହିଁ ଆମେ କିଛି କରିପାରିବୁ ନାହିଁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହୁଛନ୍ତି । ସେଥିପାଇଁ ଆଜି ଆବେଦନ କରିଥିବା ଯୁବକ ଯୁବତୀମାନେ ୨ ଦଫା ଦାବୀ ନେଇ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ଦାବୀ ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।