କୁଆଁପାଳ,ଏନ୍ଏନ୍ଏସ୍: ବାତ୍ୟା ‘ୟାସ’କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ ପ୍ରଶାସନ ସଜାଗ ଥିବାରୁ ପ୍ରଭାବିତ ଲୋକେ ନିରାପଦ ସ୍ଥାନକୁ ଚାଲି ଯାଇଥିବା ଦେଖିବାକୁ ମିଳିଛ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଙ୍ଗଳବାର ଦିନ ମାହାଙ୍ଗା ବ୍ଲକରେ ପହଂଚି ବାତ୍ୟା ମୁକାବିଲା ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରିଥିଲେ। ତେବେ ଏକ ହାଜରରୁ ଉର୍ଦ୍ଧ୍ୱ ବିପନ୍ନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯିବା ଓ ସେମାନଙ୍କ ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି । ଏଥିପାଇଁ ପ୍ରଶାସନ ସଜାଗ ରହିଛି ବୋଲି ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି । ତହସିଲଦାର ମଧୁସୂଦନ ନାୟକ ଓ ମେଡିକାଲ ଟିମ ବିଭିନ୍ନ ଅଞ୍ଚଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବୁଧବାର ମାଧ୍ୟାହ୍ନ ସୁଦ୍ଧା ପବନ ହେଉଥିବାବେଳେ ବର୍ଷାର ପ୍ରକୋପ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସେଥିପାଇଁ ଲୋକଙ୍କୁ ଭୟଭୀତ ନହେବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶକ୍ରମେ ବେସରକାରୀ ଭାବେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ବ୍ଲକ ଚେୟାରମ୍ୟାନ ଶରତ ନାୟକଙ୍କ ନେତୃତ୍ୱରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ବିପନ୍ନ ଲୋକଙ୍କ ପାଖରେ ଏହି ଟିମ ପହଂଚିବା ଓ ସେମାନଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝିବା ସହ ବିଭିନ୍ନ ସହାୟତା ଯୋଗାଉଥିବା ଜଣାପଡ଼ିଛି। ଅନ୍ୟପଟେ ଯେଉଁମାନଙ୍କ କଚାଘର, ଗୁହାଳ ଘର, ପନିପରିବା ଫସଲ ନଷ୍ଟ ହୋଇଛି, ସେସବୁର ଆକଳନ କରାଯିବାକୁ ସାଧାରଣରେ ଦାବି ହୋଇଛି।